ପୁରୀ ଜିଲା ପିପିଲି ଥାନା କୌଶଲ୍ୟାଗଙ୍ଗରେ କିନ୍ନରଙ୍କ ହତ୍ୟା ଘଟଣା ; ଅଭିଯୁକ୍ତକୁ ଗିରଫ ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତର ଦାବି କରିଛନ୍ତି କିନ୍ନର ଗୋଷ୍ଠୀ
ଭୁବନେଶ୍ବର,୨|୨: ପୁରୀ ଜିଲା ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ସିଫା ମୁଖ୍ୟ ଫାଟକ ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣା । ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି କିନ୍ନର ଗୋଷ୍ଠୀ କ୍ୟାପିଟାଲ ହସ୍ପିଟାଲ ଛକରେ ଧାରଣା ଦେଇଛନ୍ତି। ସେମାନେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତର ଦାବି କରିଛନ୍ତି। ରାସ୍ତାରେ ଧାରଣା ଦେଇଥିବା ଯୋଗୁଁ ଗାଡି ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ, ଗତ ରବିବାର ରାତି ପ୍ରାୟ ୮ଟାରୁ ସାଢ଼େ ୮ଟା ମଧ୍ୟରେ କିଛି ଦୁର୍ବୁତ୍ତ ଜଣେ କିନ୍ନର (ତୃତୀୟ ଲିଙ୍ଗି)ଙ୍କୁ ବିଭତ୍ସ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତକ ଜଣକ ହେଲେ ଏଜି ଛକ ନିକଟରେ ରହୁଥିବା କଟକ ସାଲେପୁର ଅଞ୍ଚଳର ସୋନାଲି ଓରଫ ଅଞ୍ଜଳି ବୋଲି ଜଣାପଡିଛି। ଏହି ହତ୍ୟାରେ ତାଙ୍କ ଶରୀରର ୧୦ରୁ ଅଧିକ ସ୍ଥାନରେ କ୍ଷତ ହୋଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟିକୁ ନେଇ ଫେରାର ହୋଇଯାଇଛି । ଅଞ୍ଜଳି କିଛି ଦିନ ହେବ ଭୁବନେଶ୍ବର ଆସି ଏଜି ଛକରେ ରହୁଥିଲେ। ସେ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ ବୋଲି ସୂଚନା ରହିଛି । ୨, ୪ ଦିନ ହେଲା ସେ ସନ୍ଧ୍ୟା ପରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସିଫା ନିକଟରେ ଛିଡ଼ା ହେଉଥିଲେ।
ସବୁଦିନ ପରି ରବିବାର ଦିନ ମଧ୍ୟ ସେଠାକୁ ସେ ଯାଇଥିଲେ। ରାତି ପ୍ରାୟ ୮ଟାରେ ଅଞ୍ଜଳି ତାଙ୍କ ସାଙ୍ଗକୁ ଫୋନ୍ କରି ଛୁରାମାଡ଼ ହୋଇଥିବା ବିଷୟରେ କହିଥିଲେ। ଏହା ସହିତ ଉଦ୍ଧାର କରି ଡାକ୍ତରଖାନା ନେବା ଲାଗି ନେହୁରା ହୋଇଥିଲେ। ଏହାପରେ ସାଙ୍ଗମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସିଫା ମୁଖ୍ୟ ଫାଟକ ନିକଟ ଏକ ବାଲିଗଦା ପାଖରେ ଅଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସାଙ୍ଗମାନେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଇ ତଦନ୍ତ ଜାରି ରଖିଛି |

