ଟ୍ରେଡ୍ ଡିଲ୍ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ: ଭାରତଏବଂ ଆମେରିକାର ବାଣିଜ୍ୟ ସ୍ଥିତି ହେବ ମଜଭୁତ
ନୂଆଦିଲ୍ଲୀ,୭।୧: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟ ସ୍ଥିତିକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିକଟରେ ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ ଯୋଜନା ପ୍ରସ୍ତୁତି କରିଛନ୍ତି। ଏହି ଯୋଜନାରେ ମୂଳ ଲକ୍ଷ୍ୟ ହେଉଛି ଶୁଳ୍କକୁ ହ୍ରାସ କରିବା, ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ଏବଂ ଭବିଷ୍ୟତରେ ଏକ ବୃହତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ପଥ ପ୍ରଶସ୍ତ କରିବା।
ଏହି ଚୁକ୍ତିନାମା ଅନୁସାରେ, ଆମେରିକା ଭାରତୀୟ ଉତ୍ପାଦ ଉପରେ ଲାଗୁ କରିଥିବା ଉଚ୍ଚ ଶୁଳ୍କ ହ୍ରାସ କରିବ। ରିପୋର୍ଟ ଅନୁଯାୟୀ, ଆମେରିକା ଅନେକ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜି ହୋଇଛି। ଏହା ଭାରତର ବୟନଶିଳ୍ପ, ଜୋତା, ଚମଡା, ଇଞ୍ଜିନିୟରିଂ ଉତ୍ପାଦ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରକୁ ଯଥେଷ୍ଟ ଲାଭ ଦେଇପାରେ ବୋଲି ଆଶା କରାଯାଉଛି। ଏହାଦ୍ବାରା ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ଶସ୍ତା ହେବ, ଯାହା ରପ୍ତାନି ବୃଦ୍ଧି କରିବ ବୋଲି ସମ୍ଭାବନା ସୃଷ୍ଟି କରୁଛି ।
ତେବେ ଏହାଦ୍ବାରା ଭାରତକୁ କଣ ଲାଭ ମିଳିବ? ଭାରତ ଆମେରିକାରୁ ଆମଦାନି ହେଉଥିବା ଅନେକ ଉତ୍ପାଦ ଉପରେ ଟିକସ ହ୍ରାସ କିମ୍ବା ସମାପ୍ତ କରିବାକୁ ମଧ୍ୟ ରାଜି ହୋଇଛି। ଭାରତ ଆମେରିକାରୁ କୃଷି ଉତ୍ପାଦ, ଶିଳ୍ପ ସାମଗ୍ରୀ, ଚିକିତ୍ସା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଉତ୍ପାଦ ଆମଦାନିକୁ ସହଜ କରିବ। ଏହା ଭାରତୀୟ ବଜାରରେ ଆମେରିକୀୟ ଉତ୍ପାଦଗୁଡ଼ିକର ଆମଦାନୀକୁ ବୃଦ୍ଧି କରିବ ଏବଂ ମୂଲ୍ୟ ମଧ୍ୟ କମ କରିପାରିବ। ଏହି ବାଣିଜ୍ୟ ଚୁକ୍ତି କେବଳ ଶୁଳ୍କ ନୁହେଁ ବରଂ ଅଣ-ଶୁଳ୍କ ପ୍ରତିବନ୍ଧକ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଯାହାର ଅର୍ଥ ହେଉଛି ବାଣିଜ୍ୟରେ ବିଳମ୍ବ ଏବଂ ଅସୁବିଧାକୁ ହ୍ରାସ କରିବା ପାଇଁ ଉଭୟ ଦେଶ ନିୟମାବଳୀ, ଯାଞ୍ଚ ପ୍ରକ୍ରିୟା ଏବଂ ବୈଷୟିକ ମାନଦଣ୍ଡକୁ ସରଳ କିମ୍କବା ସହଜ କରିବେ।
ଏହି ଯୋଜନାରେ, ଆଗାମୀ ବର୍ଷଗୁଡ଼ିକରେ ଭାରତ ଆମେରିକାରୁ ଯଥେଷ୍ଟ ପରିମାଣର ଶକ୍ତି ଉତ୍ପାଦ, ତୈଳ ଏବଂ ଗ୍ୟାସ, ବିମାନ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ର ଆମଦାନୀ କରିପାରିବ। ଯାହା ଭାରତର ଶକ୍ତି ସୁରକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଦୃଢ କରିବା ନେଇ ଆଶା କରାଯାଉଛି। କେବଳ ଏତିକି ନୁହେଁ, ଆମେରିକା ଭାରତୀୟ ବଜାରରେ ଏହାର କମ୍ପାନୀଗୁଡ଼ିକ ପାଇଁ ଅଧିକ ସୁଯୋଗ ମଧ୍ୟ ପ୍ରାପ୍ତ ହେବ। ଏହି ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବ। ଏହା ଦ୍ବାରା ଉଭୟ ଦେଶର ବ୍ୟବସାୟ, ଶିଳ୍ପ ଏବଂ ଗ୍ରାହକଙ୍କୁ ଲାଭ ମିଳିବ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ଏକ ନୂତନ ମାର୍ଗ ପ୍ରଦାନ କରିବ।

