Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା! ଯାତ୍ରୀଙ୍କୁ ଧକ୍କା ଦେଲା କଣ୍ଟେନର; ୬ମୃତ,୯ ଆହତ

ଉତ୍ତର ପ୍ରଦେଶ,୭।୧: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ପରିସ୍ରା କରିବା ପାଇଁ ବସ୍‌ରୁ ଓହ୍ଲାଇଥିବା ଯାତ୍ରୀମାନଙ୍କ ଉପରେ ଏକ ଦ୍ରୁତଗାମୀ କଣ୍ଟେନର ଚଢି ଯାଇଛି । ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ନଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ସୁରିର କୋତୱାଲି ପୁଲିସ ଓ ଯମୁନା ଏକ୍ସପ୍ରେସୱେ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହାସହିତ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି ।

ରିପୋର୍ଟ ଅନୁସାରେ, ବସ୍‌ଟି ଦିଲ୍ଲୀର ନାଙ୍ଗଲୋଇରୁ କାନପୁରର ରସୁଲାବାଦ ଅଭିମୁଖେ ଯାତ୍ରା କରୁଥିଲା । ସୁରିର ପୁଲିସ ଷ୍ଟେସନ ଅଞ୍ଚଳର ମାଇଲଷ୍ଟୋନ ୮୮ ପାଖରେ, ଯାତ୍ରୀମାନେ ପରିସ୍ରା କରିବାକୁ ଡ୍ରାଇଭରଙ୍କୁ ବସ୍ ଅଟକାଇବାକୁ କହିଥିଲେ।

ଡ୍ରାଇଭର ଗ୍ରୀନ୍ ଜୋନ୍‌ରେ ବସ୍ କୁ ଅଟକାଇବା ବଦଳରେ ମଝି ରାସ୍ତାରେ ବସ୍ ଅଟକାଇ ଦେଇଥିଲେ । କିନ୍ତୁ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇବା ମାତ୍ରେ ଅଚାନକ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କଣ୍ଟେନର ସେମାନଙ୍କୁ ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଅତି ଭୟାବହ ଥିଲା ।

ପୁଲିସ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ୧୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଡ଼କ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇବା ସହିତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ