ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା! ସମସ୍ତ ନୋଡାଲ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର
ଭୁବନେଶ୍ୱର,୧୦|୧: ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୯ ଦିନ ରହିଲା ଅର୍ଥାତ ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା | ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ | ଏଥିପାଇଁ ଆଜିଠାରୁ ସମସ୍ତ ନୋଡାଲ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର। କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍ରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦିନରେ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି | ତେବେ ମାଓ ପ୍ରଭାବିତ ୧୭ଟି ଥାନାରେ କରାଯାଇଛି ନୋଡାଲ୍ ସେଣ୍ଟର।
ଅନୁମୋଦିତ ରୁଟ୍ ମାଧ୍ୟମରେ ୧୭ ତାରିଖ ମଧ୍ୟରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ନିର୍ଦ୍ଧାରିତ୍ ରୁଟ୍ ବ୍ୟତୀତ ଅନ୍ୟ କେଉଁ ବାଟରେ ମଧ୍ୟ ପ୍ରଶ୍ନପତ୍ର ନିଆଯିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି। ପ୍ରଶ୍ନପତ୍ର ନେବା ପାଇଁ ସ୍ୱତନ୍ତ୍ର ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର କେଉଁ ରୁଟ୍ରେ ଯିବ ତାହା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି | ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।
ତେବେ ରାଜ୍ୟର ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଏଥର ମାଟ୍ରିକ ପରୀକ୍ଷା ଦେବେ। ଏଥର ରାଜ୍ୟର ୩ ହଜାର ୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା । ଏଥର ସବୁ ସେଣ୍ଟର ନଜର ରଖିବ ସିସିଟିଭି କ୍ୟାମେରା | କିଭଳି ପରୀକ୍ଷା ଚାଲିଛି ସବୁକିଛି ଦେଖିହେବ ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରୁ।

