କୋରାପୁଟରେ ହେବ ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ! ସୁଙ୍କି ଘାଟି ପାଇବ ନୂଆ ପରିଚୟ
କୋରାପୁଟ,୧୨ |୨: ଜଙ୍ଗଲ,ପର୍ବତ,ପାହାଡ ଘେରା ସବୁଜ ପରିବେଶରେ ପରିପୂର୍ଣ୍ଣ ଜିଲ୍ଲା କୋରାପୁଟ ଏବେ ଆଉ ଏକ ନୂଆ ପରିଚୟ ହାସଲ କରିବାକୁ ଯାଉଛି | ପୂର୍ବରୁ ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ଦେଓମାଳି ପାଇଁ କୋରାପୁଟ ପରିଚୟ ପାଇଛି | ଏବେ ଆଉ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛି | ତିନି ରାଜ୍ୟକୁ ସଂଯୋଗ କରୁଥିବା ଭାରତମାଲା ଏକ୍ସପ୍ରେସ-ୱେର ଦୁଇଟି ଉଚ୍ଚତମ ଟନେଲ ଦେଇ ରାୟପୁର ଠାରୁ ବିଶାଖାପାଟଣା ଅଭିମୁଖେ ଜାତୀୟ ରାଜପଥରେ ଯାତାୟତ କରିବେ ଲୋକେ । ତେବେ ଏହା ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ ହେବ।
ଆନ୍ଧ୍ର ସୀମାବର୍ତ୍ତୀ ତଥା କୋରାପୁଟ ଜିଲ୍ଲା ସୀମାରେ ଥିବା ପୂର୍ବଘାଟ ପର୍ବତମାଳାର ସୁଙ୍କି ଘାଟି ଦେଇ ଯିବାକୁ ଲୋକେ ପୂର୍ବରୁ ଭୟ କରୁଥିଲେ | କିନ୍ତୁ ଏବେ ସେ ଭୟ ଦୂର ହେଵ | ସମୁଦ୍ର ପତ୍ତନ ଠାରୁ ୩ହଜାର ଫୁଟ୍ ଉଚ୍ଚରେ ଥିବା ଏହି ଘାଟି ରାସ୍ତାରେ ପ୍ରଥମ ଟନେଲ ସହ ଛଅ ଥାକିଆ ହାଇୱେ ନିର୍ମାଣ ହେବ । ଓଡିଶାରୁ ଆନ୍ଧ୍ର ଯିବା ପାଇଁ ତିନି ଥାକିଆ ରାସ୍ତା ସେହିପରି ଆନ୍ଧ୍ରରୁ ଓଡ଼ିଶା ଆସିବା ପାଇଁ ମଧ୍ୟ ତିନି ଥାକିଆ ରାସ୍ତା ନିର୍ମାଣ କରାଯାଇଛି । ସୂଚନା ଅନୁସାରେ, ଏହି ଦୁଇ ଟନେଲ ରାସ୍ତାର ଲମ୍ବା ଯଥାକ୍ରମେ ୩.୪୨ କିମି ଓ ୨.୮ କିମି ଲମ୍ବ ରହିଛି।
ଭାରତମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଟନେଲ ଛତିଶଗଡ଼ର ରାୟପୁର ଠାରୁ ଆନ୍ଧ୍ରର ବିଶାଖାପାଟଣା ରାସ୍ତା ଅଧିନରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି । ୨୦୨୬ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରକାଶ କରାଯାଇଛି ।
ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି ୧୬ହଜାର କୋଟି ଟଙ୍କା। ଏହି ଭାରତମାଲା ପ୍ରକଳ୍ପରେ ଛତିଶଗଡ଼ର ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି। ଜଙ୍ଗଲ ରାସ୍ତା ଗୁଡିକରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା କାମର ନିର୍ମାଣ ଚାଲିଛି। ଏହି ରାସ୍ତା କୋରାପୁଟ ଜିଲ୍ଲାରେ ୧୨୪ କିମି ପର୍ଯ୍ୟନ୍ତ ନିର୍ମାଣ ହୋଇଛି । ଏଥିପାଇଁ କୋରାପୁଟ ଜିଲ୍ଲା ପାଇଁ ୪,୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।
ତେବେ ଏହି ପ୍ରକଳ୍ପ ପାଇଁ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ବେସରକାରୀ ଜମି, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି। ଏହି ପ୍ରକଳ୍ପ ଦ୍ଵାରା କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବେଶ ସୁଦୃଢ଼ ହେବା ନେଇ ଆଶା ରହିଛି।

