Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫କୋଟିର ସାଇବର ଠକେଇ ମାମଲା; ୨ ଅଭିଯୁକ୍ତ ଗିରଫ କରିଛି ପୋଲିସ

ବଲାଙ୍ଗିର,୧୩|୨: ଦିନକୁ ଦିନ ବଢିଚାଲିଛି ସାଇବର ଲୁଟେରାଙ୍କ ଅପରାଧ | ଲୁଟୁଛନ୍ତି କୋଟି କୋଟି ଟଙ୍କା | ବିଭିନ୍ନ ଆଳରେ କିମ୍ବା ଧମକ ପୂର୍ଣ୍ଣ ମେସେଜ କରି ଲୁଟି ନେଉଛନ୍ତି ଟଙ୍କା | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡିଶା ବଲାଙ୍ଗୀର ଜିଲ୍ଲାରେ | ଯେଉଁଠି ସାଇବର ଲୁଟେରା କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ପୁରା ପାଞ୍ଚ କୋଟି ଟଙ୍କା ଲୁଟି ନେଇଛନ୍ତି | ବଲାଙ୍ଗିର ସଦର ଏବଂ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି ସାଇବର ଠକ | ତେବେ ଏହି ମାମଲାରେ ସାଇବର ଠକ ଦୁହିଁଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଦୁହେଁ ହେଉଛନ୍ତି ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଣ୍ଟି ଏବଂ ସୌମ୍ୟରଞ୍ଜନ କବାଟ।

ପୋଲିସ ତଦନ୍ତ ପରେ ଗିରଫ ଦେବାଶିଷ ଏହି ପୁରା ଠକେଇ ମାମଲାର ମାଷ୍ଟରମାଇଣ୍ଡ ହୋଇଥିବା ଜଣାପଡ଼ିଛି। ଦୁହେଁ ବୟସ୍କ ଓ ଯୁବବର୍ଗର ସରଳଲୋକଙ୍କୁ ଟାର୍ଗେଟ କରି ହଜାରେ,ଦୁଇହଜାର ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ପାସବହି ଓ ଏଟିଏମ କାର୍ଡ ଆସିବାପରେ ସେସବୁ ନେଇ ପଶ୍ଚିମବଙ୍ଗର ସାଇବର ଠକ ଗ୍ୟାଙ୍ଗଙ୍କୁ ଯୋଗାଉଥିଲେ | ଏଥିଲାଗି ସେମାନଙ୍କୁ ଆକାଉଣ୍ଟ ପିଛା ୫ ରୁ ୭ ହଜାର ଟଙ୍କା ମିଳୁଥିଲା । ପଶ୍ଚିମବଙ୍ଗର ଏହି ସାଇବର ଠକ ରାକେଟ, ଏହି ଆକାଉଣ୍ଟ ଗୁଡ଼ିକରେ ଠକେଇ କରି ଆଣୁଥିବା କୋଟି କୋଟି ଟଙ୍କାର କାରବାର କରୁଥିଲେ।

ଏକ ଠକେଇ ଅଭିଯୋଗରେ, ୟୁକୋ ବ୍ୟାଙ୍କର ଏକ ଆକାଉଣ୍ଟରେ ୬ ମାସ ମଧ୍ୟରେ ୫ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା। ଏହା ପରେ ବଲାଙ୍ଗିର ସାଇବର ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା। ୫ରୁ ଅଧିକ ଆକାଉଣ୍ଟ ସମ୍ପର୍କରେ ପଚରାଉଚୁରା କଲାପରେ ଏହା ସାଇବର ଠକଙ୍କ କାର୍ଯ୍ୟକଳାପ ବୋଲି ଜଣାପଡିଥିଲା। ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାଏକଙ୍କ ନେତୃତ୍ୱରେ ହୋଇଥିବା ପୋଲିସ ତଦନ୍ତରେ ଦେବାଶିଷ ଓ ସୌମ୍ୟଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ ବେଳେ ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ୨୯ଟି ପାସବୁକ୍, ୧୫ଟି ଚେକ ବହି, ଗୋଟିଏ ସ୍ୱାଇପ ମେସିନ, ୮ ଟି ମୋବାଇଲ, ଗୋଟିଏ କାର ସହ ୨ଟି ବାଇକ ମଧ୍ୟ ଜବତ କରିଛି ପୁଲିସ। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପଶ୍ଚିମବଙ୍ଗରେ ଥିବା ସାଇବର ଠକ ରାକେଟ ସହ ଏମାନଙ୍କ ସଂପୃକ୍ତି ରହିଥିବାରୁ ରାକେଟର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଲାଙ୍ଗିର ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି । ଏହାସହିତ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ସଚେତନ ମଧ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories