Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲିଠୁ ବଜେଟ ଅଧିବେଶନ! ଫ୍ରେବୃଆରି ୧୭ରୁ ୨୪ ଯାଏଁ ପ୍ରଥମ ପର୍ଯ୍ୟାୟ,ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୮

ଭୁବନେଶ୍ବର,୧୬|୨: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ। ଏନେଇ ବଜେଟ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ପୂର୍ବାହ୍ଣ ସାଢେ ୧୧ଟାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସହିତ ଶାସକ ଦଳର ମନ୍ତ୍ରୀ, ବିଜେଡି ମୁଖ୍ୟ ସଚେତକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ତେବେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫ୍ରେବୃଆରି ୧୭ରୁ ୨୪ ଯାଏଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିବ।

ସେହିପରି ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହେବ। ତାହାକୁ ଧ୍ୟାନରେ ରଖି ଆଜି ସନ୍ଧ୍ୟା ୫ଟାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକଙ୍କ ଦଳ ବୈଠକ ମଧ୍ୟ ହେବ। ଶଙ୍ଖ ଭବନରେ ମଧ୍ୟ ସନ୍ଧ୍ୟା ୫ଟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଦଳୀୟ ବୈଠକ | ଅନ୍ୟପଟେ, ଶାସକ ଦଳର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସୋମବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି।

୧୭ରୁ ବିଧାନସଭା ଆରମ୍ଭ ହେବା ମାତ୍ରେ ଶାସକ ଦଳକୁ ଘେରିବାକୁ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହେଉଛନ୍ତି । ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଶାସକ ଦଳକୁ ଘେରିବ କଂଗ୍ରେସ। ସେହିପରି ଆନ୍ତଃରାଜ୍ୟ ବିବାଦ, ମହିଳା ହିଂସା, ଧାନ ସଂଗ୍ରହ, ବେରୋଜଗାରୀ, ୟୁଜିସିର ନୂଆ ନିୟମ, ମଣ୍ଡି ମିଲର୍ସ ଏବଂ ଅଙ୍ଗନବାଡ଼ିରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେଡି ଜୋରସୋରରେ ପ୍ରସ୍ତୁତ ହେଉଛି | ଅନ୍ୟପଟେ, ବିରୋଧୀଙ୍କ ସବୁ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଶାସକ-ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ମଧ୍ୟରେ ପୂର୍ବଥର ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା | ତେଣୁ ବଜେଟ ଅଧିବେଶନ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଚାହୁଁଛନ୍ତି । ଗୃହରେ କୌଣସି ପ୍ରକାରର ହଟ୍ଟଗୋଳ ସୃଷ୍ଟି ନ ହେବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ