Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲିଠୁ ବଜେଟ ଅଧିବେଶନ! ଅରବିନ୍ଦ ମହାପାତ୍ରଙ୍କ ଆଭିମୁଖ୍ୟ କଣ ରହିବ?

ଭୁବନେଶ୍ବର,୧୬|୨: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫ୍ରେବୃଆରି ୧୭ରୁ ୨୪ ଯାଏଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିବ।ସେହିପରି ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହେବ।

ତାହାକୁ ଧ୍ୟାନରେ ରଖି ଆଜି ସନ୍ଧ୍ୟା ୫ଟାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକଙ୍କ ଦଳ ବୈଠକ ବସିବ। ଶଙ୍ଖ ଭବନରେ ମଧ୍ୟ ସନ୍ଧ୍ୟା ୫ଟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଦଳୀୟ ବୈଠକ | ଅନ୍ୟପଟେ, ଶାସକ ଦଳର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସୋମବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି।

ବିଧାନସଭା ଆରମ୍ଭ ହେବା ମାତ୍ରେ ବୁଲେଇ ବଙ୍କେଇ ପ୍ରଶ୍ନ କରି ଶାସକ ଦଳକୁ ଘାଇଲା କରିବେ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ | ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି | ରାଜ୍ୟରେ ମଣ୍ଡିରେ ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଶାସକ ଦଳକୁ ଘେରିବ କଂଗ୍ରେସ। ସେହିପରି ଆନ୍ତଃରାଜ୍ୟ ବିବାଦ, ମହିଳା ହିଂସା, ଧାନ ସଂଗ୍ରହ, ବେରୋଜଗାରୀ, ୟୁଜିସିର ନୂଆ ନିୟମ, ମଣ୍ଡି ମିଲର୍ସ ଏବଂ ଅଙ୍ଗନବାଡ଼ିରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେଡି ଜୋରସୋରରେ ପ୍ରସ୍ତୁତ ହେଉଛି | ଅନ୍ୟପଟେ, ବିରୋଧୀଙ୍କ ସବୁ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି।

ତେବେ ଏଥର ଗୃହରେ ଅଧିବେଶନ ସମୟରେ ଏକ ରୋଚକପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିବ | ଦଳରେ ରହି ଶାସକ ଦଳକୁ ପ୍ରଶ୍ନ ବାଣରେ ଘାଇଲା କରୁଥିବା ସାଂସଦ ଦଳରୁ ନିଲମ୍ବିତ ହେବା ପରେ ଗୃହରେ କେଉଁଭଳି ଆଭିମୁଖ୍ୟ ରଖିବେ ତାହାକୁ ନେଇ ଆଲୋଚନା ହେଉଛି | ସୂଚନା ଯୋଗ୍ୟ ନିକଟରେ ବିଜେଡି ପକ୍ଷରୁ ଦୁଇ ସାଂସଦଙ୍କୁ ନିଲମ୍ବିତ କରାଯାଇଛି | ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି | ତେବେ କଥା ହେଉଛି ଯିଏ ଦିନ ବିଜେଡି ଦଳରେ ରହି ଶାସକ ଦଳକୁ ପ୍ରଶ୍ନ ବାଣରେ କାଠଗଡ଼ାରେ ଛିଡା କରୁଥିଲେ ଏବେ ତାଙ୍କର ଆଭିମୁଖ୍ୟ ସେଭଳି ରହିବତ? ଦଳରୁ ନିଲମ୍ବିତ ହେବା ପରେ ବି ବିଜେଡି ସପକ୍ଷରେ ରହି ଶାସକ ଦଳର କାର୍ଯ୍ୟ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇବେ ନା ଏକା ଏକା ଶାସକ ଦଳଙ୍କୁ ପ୍ରଶ୍ନ କରି ଘାଇଲା କରିବେ | ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି | ତେବେ ଅରବିନ୍ଦ ମହାପାତ୍ରଙ୍କ ଆଭିମୁଖ୍ୟ କେଉଁଭଳି ଗୃହରେ ରହିବ ତାହା ଅଧିବେଶନ ଆରମ୍ଭ ହେବା ପରେ ହିଁ ଜଣାପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ