୯ଟା ୩୦ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିବେ ଛାତ୍ରଛାତ୍ରୀ : କପି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ବୋର୍ଡ ସଭାପତି
କଟକ,୧୭|୨: ଦିନକ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା | ରାଜ୍ୟରେ ସର୍ବମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଗୋଟିଏ ସିଟିଂରେ ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ଯାଏଁ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା ସୂଚାରୁ ରୂପେ ପରିଚାଳନା କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୋର୍ଡ ସଭାପତି କହିଛନ୍ତିଯେ, ସକାଳ ୯ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ସେଣ୍ଟରକୁ ପ୍ରବେଶ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି | ତେଣୁ ସେହି ସମୟ ପୂର୍ବରୁ ଆସିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ। ତେବେ ଏହା ପୂର୍ବରୁ ୯ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ପରେ ଏଥିରେ ଆଉ ୧୫ ମିନିଟ୍ ବୃଦ୍ଧି କରାଯାଇଛି | ଏନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏହା ସହିତ ଯଦି ପରୀକ୍ଷା ହଲରେ କପି ଯୋଗାଯାଏ କିମ୍ବା କିଛି ଅନିୟମିତତା ହୁଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି |
ଅନ୍ୟପଟେ, ବୋର୍ଡ ପକ୍ଷରୁ ଏବର୍ଷ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍ରେ ରହିଛନ୍ତି ୨ ଜଣ ସଦସ୍ୟ । ଏହାସହିତ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି । ପରୀକ୍ଷା କେନ୍ଦ୍ରରେ କିଭଳି ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିପରି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ସୂଚାନଯୋଗ୍ୟ ଗତ ୧୦ ତାରିଖଠାରୁ ନୋଡାଲ ସେଣ୍ଟରଗୁଡିକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସୂଚନା ମିଳିଛି।

