Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓକିଲ AI କୁ ବ୍ୟବହାର କରି ଲେଖୁଛନ୍ତି ପିଟିସନ! ଏଆଇ ପ୍ରସ୍ତୁତ ଭୁଲ ପିଟିସନ ସାମ୍ନାକୁ ଆସିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: CJI ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ,୧୭।୨: ସୁପ୍ରିମକୋର୍ଟରେ ଏବେ ଓକିଲଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବଢୁଥିବା ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ | ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କିଛି ଓକିଲ ପିଟିସନ ଏବଂ ଆଇନଗତ କାଗଜପତ୍ର ଏଆଇକୁ ବ୍ୟବହାର କରି କରୁଛନ୍ତି | ଯେଉଁଥିରେ ଅନେକ ଭୁଲ ଓ ଅଧାଅଧୁରା ତଥ୍ୟ ରହୁଛି। ସିଜେଆଇ ସୂର୍ଯ୍ୟକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୋର୍ଟଙ୍କ ସାମ୍ନାକୁ ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଯେଉଁସବୁ କେସ୍ ର ରାୟ ଓ ଆଇନର ଉଦାହରଣ ଦିଆଯାଉଛି ତାହା ବାସ୍ତବରେ ମହଜୁଦ ହିଁ ନାହିଁ।

ଅନେକ ପିଟିସନରେ ଏପରି ରାୟ ସବୁର ଉଲ୍ଲେଖ କରାଯାଉଛି ଯାହାର କିଛି ବାସ୍ତବତା ନାହିଁ | ତେବେ ଏହି କାରଣରୁ କୋର୍ଟଙ୍କ ସମୟ ନଷ୍ଟ ହେଉଛି ଏବଂ ବିଚାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତର ଭାବେ ପ୍ରଭାବ ପଡୁଛି। ସେହିପରି ଶୁଣାଣି ସମୟରେ, କିଛି ଓକିଲ ଭଲ ଭାବେ ଯାଞ୍ଚ ନକରି ବିନା ତଥ୍ୟରେ ଏଆଇ ଟୁଲସ୍ ରେ ପ୍ରସ୍ତୁତ ଡ୍ରାଫ୍ଟ କୋର୍ଟରେ ଉପସ୍ଥାପନ କରୁଥିବାର ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‘ଓକିଲଙ୍କ ଦାୟିତ୍ୱ ହେଉଛି ସେମାନେ ଦେଉଥିବା ପ୍ରତ୍ୟେକ ତଥ୍ୟ ଓ ସନ୍ଦର୍ଭକୁ ନିଜେ ଯାଞ୍ଚ କରନ୍ତୁ’।

ଏଆଇର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି କୋର୍ଟ କହିଛନ୍ତି ଯେ, ଏଆଇକୁ କେବଳ ସହାୟତା ରୂପେ ଗ୍ରହଣ କରାଯାଇ ପାରେ, କିନ୍ତୁ ଓକିଲଙ୍କ ବୁଦ୍ଧି ଏବଂ ଦାୟିତ୍ୱର ସ୍ଥାନ ନେଇ କେବେବି ଏଆଇ ନେଇ ପାରିବନି। କୋର୍ଟ ଆହୁରି କହିଛନ୍ତି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଖରେ ମନୁଷ୍ୟ ମାନଙ୍କ ଭଳି ଚିନ୍ତା କରିବା, ବୁଝିବା ଓ ପରିସ୍ଥିତିକୁ ଅନୁଧ୍ୟାନ କରିବା ଭଳି କ୍ଷମତା ନଥାଏ। ନ୍ୟାୟ କେବଳ ନିୟମ ଅନୁସାରେ ନୁହେଁ ବରଂ ସମ୍ବେଦନା, ଅନୁଭବ ଓ ବିବେକ ଦ୍ୱାରା ବିଚାର କରି ଦିଆଯାଇଥାଏ | ଯାହା କୌଣସି ମେସିନ ଦ୍ୱାରା ସମ୍ଭବ ପରା ହେବନାହିଁ । ସିଜେଆଇ ସୂର୍ଯ୍ୟକାନ୍ତ ସ୍ପଷ୍ଟ ଭାବେ କହିଛନ୍ତିଯେ, ଯଦି ଭବିଷ୍ୟତରେ କେବେ ଏଆଇ ପ୍ରସ୍ତୁତ ଭୁଲ ପିଟିସନ କରିଥିବାର ସାମ୍ନାକୁ ଆସେ ତେବେ ଏହା ଉପରେ କଡ଼ା ପଦକ୍ଷେପ ନିଆଯିବ।

ଓକିଲ ମାନେ ବୁଝିବା ଆବଶ୍ୟକଯେ, ଟେକ୍ନୋଲଜିର ସଠିକ ବ୍ୟବହାର ଏବଂ ସୀମିତ ଉପଯୋଗୀତା କରିବା ଆବଶ୍ୟକ ଅନ୍ୟଥା ଏହା ବିପଦକୁ ଟାଣି ଆଣିବ। ତେବେ ସୁପ୍ରିମକୋର୍ଟ ମାନିଛନ୍ତି ଯେ, ଏଆଇର ବ୍ୟବହାର ଉପରେ ଗବେଷଣା, ପୁରୁଣା ରାୟର ସନ୍ଧାନ ଓ ଡକ୍ୟୁମେଣ୍ଟ ମ୍ୟାନେଜ କରିବାରେ ସହାୟକ ହୋଇପାରେ। କିନ୍ତୁ ଫାଇନାଲ ଡ୍ରାଫ୍ଟ, ତର୍କ ଏବଂ ତଥ୍ୟ ଉପସ୍ଥାପନ କରିବାରେ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଓକିଲଙ୍କର ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ