ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ : କଂଗ୍ରେସ ଦେବ ଗୋଟିଏ ପ୍ରାର୍ଥୀ! ମିଳିବ କି ବିଜେଡିର ସମର୍ଥନ?
ଭୁବନେଶ୍ୱର,୧୮|୨: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି | ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବାନେଇ ନିଶ୍ଚିତ ହୋଇଛି | ସମସ୍ତେ ମିଶି ପ୍ରାର୍ଥୀକୁ ଜିତାଇବାକୁ ଚେଷ୍ଟା କରିବୁ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ସ୍ପଷ୍ଟ ହେବ। ମିଳିତ ପ୍ରାର୍ଥୀ ପାଇଁ ବିଜେଡି ସମର୍ଥନ ଲୋଡିବାରେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲରେ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ | ଓଡ଼ିଶାରୁ ସାଂସଦ ମମତା ମହନ୍ତ, ସୁଜିତ କୁମାର, ମୁନା ଖାଁ, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସାରିବାକୁ ଯାଉଛି । ତେବେ ଏହି ୪ଟି ଆସନକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ।
ତେବେ ଏହି ଚାରାଟି ଆସନ ପୂର୍ବରୁ ବିଜେଡିର ରହିଥିଲା | କିନ୍ତୁ ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ | ଯାହା ଫଳରେ ଏହି ଦୁଇ ଆସନ ବିଜେପିକୁ ମିଳିବା ନେଇ ସୁନିଶ୍ଚିତ କରାଯାଇଛି | ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ବାରମ୍ବାର ତୃତୀୟ ଆସନ ବି ଅକ୍ତିଆର କରିବା ନେଇ ଆଶା ବାନ୍ଧିଛି। ଯଦି ବିଜେପି ତୃତୀୟ ଆସନ ପାଇଁ ପ୍ରାର୍ଥୀ ଦେବେ ତେବେ କାହାକୁ ବାଛିବ ସେନେଇ ଆଲୋଚନା ହେଉଛି | ଅନ୍ୟପଟେ, ବିଜେଡିକୁ ଗୋଟିଏ ଆସନ ମିଳିବା ନେଇ ସୁନିଶ୍ଚିତ ହୋଇଥିବା ବେଳେ ଚତୁର୍ଥ ଆସନ ପାଇଁ ପ୍ରସ୍ତୁତ ହେଉଛି | ଦଳ ବାରମ୍ବାର ନବୀନ ନିବାସରେ ବୈଠକ କରି ଏହା ଉପରେ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କଂଗ୍ରେସ ଦଳ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ତେବେ ଏଥିରେ କଣ ବିଜେଡିର ସମର୍ଥନ ରହିବ? ତାହା ଆଗାମୀ ସମୟ କହିବ |

