ସଂପୂର୍ଣ୍ଣ ଟାର୍ଗେଟ ଦାବିରେ ସମାସିଂହାରେ ଚାଷୀଙ୍କ ରାସ୍ତା ଅବରୋଧ ସମାସିଂହା–ସମ୍ବଲପୁର ରାସ୍ତାରେ ଭାରିଯାନ ଚଳାଚଳ ବାଧାପ୍ରାପ୍ତ
ଝାରସୁଗୁଡ଼ା, ୧୯/୦୨ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଓ ସୋଡାମାଳ ସମବାୟ ସମିତି ଅଧୀନସ୍ଥ ଚାଷୀମାନେ ଧାନ ବିକ୍ରୟ ପାଇଁ ସଂପୂର୍ଣ୍ଣ ଟାର୍ଗେଟ ଦାବିରେ ଆଜି ଗୁରୁବାର ସକାଳ ୯ଟାରୁ ସମାସିଂହାରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଧାନ ଭର୍ତ୍ତି ଗାଡ଼ି ଓ ବସ୍ତାଗୁଡ଼ିକୁ ରାସ୍ତା ଉପରେ ରଖି ଆନ୍ଦୋଳନ ଚାଲିଥିବାରୁ ସମାସିଂହା–ସମ୍ବଲପୁର ମୁଖ୍ୟ ରାସ୍ତାରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଯାତାୟାତ ବ୍ୟବସ୍ଥାରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଟାର୍ଗେଟ ଅଭାବରୁ ଚଳିତ ମାସ ୧୩ ତାରିଖରୁ ଧାନ କ୍ରୟ କାର୍ଯ୍ୟ ବନ୍ଦ ରହିଛି। ଏନେଇ ବୁଧବାର ପୂର୍ବାହ୍ନରେ ଚାଷୀମାନେ କୋଲାବିରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ସମାସିଂହା ସମିତି ପାଇଁ ୨୨୧୪ କ୍ଵିଣ୍ଟାଲ ଓ ସୋଡାମାଳ ସମିତି ପାଇଁ ୩୫୦୦ କ୍ଵିଣ୍ଟାଲ ଟାର୍ଗେଟ ଆବଶ୍ୟକ ଥିବା ଉଲ୍ଲେଖ କରିଥିଲେ। ସେମାନେ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଟାର୍ଗେଟ ନ ମିଳିଲେ ୧୯ ତାରିଖରୁ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଉଭୟ ସମିତିକୁ ୮ ଶହ କ୍ଵିଣ୍ଟାଲ କରି ଟାର୍ଗେଟ ଦିଆଯାଇଥିଲେ ମଧ୍ୟ ଏହା ଚାଷୀଙ୍କ ଦାବି ଅନୁଯାୟୀ ନ ଥିବାରୁ ଅସନ୍ତୋଷ ତୀବ୍ର ହୋଇଥିଲା। ଫଳସ୍ୱରୂପ ସମାସିଂହା ପଞ୍ଚାୟତ ଶିବଶକ୍ତି କୃଷକ ସଂଘ ଓ ଶତାଧିକ ଚାଷୀଙ୍କ ପକ୍ଷରୁ ସମାସିଂହା ଟ୍ରାନ୍ସଫର୍ମର ଛକରେ ଧାନ ବସ୍ତା ରଖି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରେ କୃଷକ ସଂଘ ସଭାପତି ଚେତାନନ୍ଦ ପଟେଲ, ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି, ପୂର୍ବତନ ସରପଞ୍ଚ ହେମନ୍ତ ସାହୁ,ଗୌତମ ନାଏକ, ତୁଲେଶ୍ୱର ପଟେଲ, କେଦାର ଚନ୍ଦ୍ର ପଟେଲ ପ୍ରମୁଖଙ୍କ ସହ ଅନେକ ଚାଷୀ ସାମିଲ ହୋଇଛନ୍ତି। ଘଟଣା ସ୍ଥଳକୁ କୋଲାବିରା ତହସିଲଦାର ମନୋଜ କୁଜୁର ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସଂପୂର୍ଣ୍ଣ ଟାର୍ଗେଟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଦୃଢ଼ ମତ ପ୍ରକାଶ କରିଛନ୍ତି।

