ଝାରସୁଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରଲର–ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ ୩ ଗୁରୁତର
ଝାରସୁଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:
ଟ୍ରଲର- କାର ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ ୩ ଗୁରୁତର
ଝାରସୁଗୁଡା ୨୨/୦୨, (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଏକ ଦ୍ରୁତଗାମୀ ଟ୍ରଲର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ପ୍ରାରମ୍ଭିକ ସୂଚନାରୁ ପ୍ରକାଶ। ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ସୂଚନ ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟା ସମୟରେ ପୋଲିସ କର୍ମଚାରୀ ମାନେ ଏକ କାରରେ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ବିପରୀତ ଦିଗର ଦୃତଗତିରେ ଆସୁଥିବା ବେପରୁଆ ଟ୍ରଲର ସହ ପ୍ରଚଣ୍ଡ ଧକ୍କା ହୋଇଥିଲା।
ସ୍ଥାନୀୟ ଲୋକ ଓ ପୋଲିସ ଦଳ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଡି ଭିତରୁ ମୃତ ଦେହ ଗୁଡିକୁ ବାହାର କରା ଯାଇଥିବା ବେଳେ ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।
ମୃତକ ମାନେ ହେଲେ— କାଶୀରାମ ଭୋଇ (APR), ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା (APR), ଲିଙ୍ଗରାଜ ଧୂରୁଆ (APR ହାବିଲଦାର) ଓ ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)। ଏବଂ ଆହତ ମାନେ ହେଲେ— ଦୁବରାଜ ମିରିଗ (APR), ଆକାଶ ନାଏକ (APR) ଓ ରାଜୀବ ଭରସାଗର (ସର୍ଜେଣ୍ଟ)। ଏହି ଲୋମହର୍ଶକ ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳକୁ ଏସପି ଜୀ ରାବେନ୍ଦ୍ର ରେଡ୍ଡୀ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱନ ତଥା ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖା ଯାଇଥିବା ବେଳେ ଗାଡିକୁ ଜବତ କରା ଯାଇଛି। ଦୁର୍ଘଟଣାର ସଠିକ କାରଣ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।

