ଛାତ୍ରୀ ଗଣଦୁଷ୍କର୍ମ ମାମଲା:୫ ଅଭିଯୁକ୍ତ ଗିରଫ ; ରେଡ୍ ଫ୍ଲାଗ୍ ଘୋଷଣା କଲା କ୍ରାଇମବ୍ରାଞ୍ଚ
କେନ୍ଦ୍ରାପଡ଼ା,୨୨।୨ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠି ଏକ ୭ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଉକ୍ତ ଅଞ୍ଚଳକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ଜଣେ ସିନିୟର ଅଫିସର ନିୟୋଜିତ ରହିବେ । ଏହାସହିତ ନ୍ୟାୟିକ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ସ୍ୱତନ୍ତ୍ର ପିପି ନିୟୋଜିତ କରାଯିବ। ଅନ୍ୟପଟେ , ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଜକନିକା ଥାନା ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)।
ସୂଚନା ଅନୁସାରେ,ପୁଲିସ ଜେରା କରିବା ସମୟରେ ଜଣାପଡ଼ିଲା ଯେ ଏହି ଅଭିଯୁକ୍ତ ଶିକ୍ଷକମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ସ୍କୁଲ ପ୍ରିନ୍ସିପାଲ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଅନ୍ୟପଟେ ,ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଉଥିଲେ । ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ ବୋଲି ଡରାଉ ଥିଲେ। ଫଳରେ ଛାତ୍ରୀ ଜଣକ ବାଧ୍ୟ ହୋଇ ଚୁପ ରହୁଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଛନ୍ତି।

