ପୁରୀ ପୌରସଂସ୍ଥାର ଅଭିନବ ଚେଷ୍ଟା! ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ବ୍ୟାଗେଜ୍ ଲକର୍ ସିଷ୍ଟମ୍
ପୁରୀ,୨୬|୨: ପୁରୀ ପୌରସଂସ୍ଥାର ଅଭିନବ ଚେଷ୍ଟା! ପର୍ଯ୍ୟଟକ ମାନଙ୍କ ଜିନିଷ ପତ୍ରର ସୁରକ୍ଷା ପାଇଁ ପୁରୀ ପୌରସଂସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି | ଏଣିକି ଆଉ ପର୍ଯ୍ୟଟକମାନେ ଆଉ ନିଜର ଜିନିଷପତ୍ର ସମ୍ପର୍କିତ ଚୋରିକୁ ନେଇ ଆଉ ଚିନ୍ତାରେ ରହିବେ ନାହିଁ | ନିର୍ଭୟରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଇ ପାରିବେ । କାରଣ ପୁରୀରେ ପ୍ରଥମଥର ପାଇଁ ପର୍ଯ୍ୟଟନକ୍ଷେତ୍ର ଲାଗୁ ହୋଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍ । ପୁରୀ ବେଳାଭୂମିର ଦୁଇଟି ଜାଗାରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଟକ୍କିଟ୍ ସଂସ୍ଥା ଦ୍ୱାରା ପୁରୀ ସମୁଦ୍ରକୂଳ ଭିକ୍ଟୋରିଆ ହୋଟେଲ୍ ସମ୍ମୁଖ ଏବଂ ଦିଗବାରେଣୀ ଖୁଣ୍ଟି ଛକ ପାଖରେ ଦୁଇଟି ବ୍ୟାଗେଜ୍ ଲକର୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି |
ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ କ୍ୟୁଆର୍ କୋଡ୍ ର ବ୍ୟବସ୍ଥା ରହିଛି | ପ୍ରଥମେ ପର୍ଯ୍ୟଟକଙ୍କୁ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବାକୁ ପଡିବ ଏବଂ ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ । ଏହାସହିତ ଅନଲାଇନରେ ଆପଣଙ୍କୁ କିଛି ଟଙ୍କା ପୈଠ କରିବାକୁ ପଡ଼ିବ । ଏହାପରେ ଲକର୍ ଦୁଆର ଆପେଆପେ ଖୋଲିବା ପରେ ଆପଣ ନିଜର ବ୍ୟାଗ୍,ଜୋତା,ମୋବାଇଲ ଇତ୍ୟାଦି ଜିନିଷପତ୍ର ରଖି ପୁଣିଥରେ ମୋବାଇଲ ଦ୍ୱାରା ଏହାକୁ ବନ୍ଦ କରିପାରିବେ । ସୂଚନା ଅନୁସାରେ, ଗୋଟିଏ ସିଷ୍ଟମରେ ୨୭ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଭିନ୍ନଭିନ୍ନ ମାପର ଲକର୍ ରହିଛି ।
ଏହା ପର୍ଯ୍ୟଟକଙ୍କ ପାଇଁ ଉଚିତ ପଦକ୍ଷେପ ହେବା ନେଇ ଆଶା କରାଯାଉଛି | ତେବେ ସବୁଠାରୁ ବଡ ଲକରରେ ୮ରୁ ୧୦ଟି ବ୍ୟାଗ୍, ଚପଲ, ମୋବାଇଲ ସହଜରେ ରଖିହେବ । ଏଥିପାଇଁ ପର୍ଯ୍ୟଟକଙ୍କୁ ଘଣ୍ଟାକୁ ୧୧୮ ଟଙ୍କା ପୈଠ କରିବାକୁ ପଡିବ। ସେହିପରି ଵଡ଼ ଲକର୍ ପାଇଁ ଘଣ୍ଟାକୁ ୬୯ ଟଙ୍କା ୬୨ ପଇସା ପଇସା, ମଧ୍ୟମ ଲକର୍ ପାଇଁ ଘଣ୍ଟାକୁ ୨୯ ଟଙ୍କା ୫ ପଇସା ଏହାସହିତ ଛୋଟ ଲକର୍ ପାଇଁ ଘଣ୍ଟାକୁ ୧୮ ଟଙ୍କା ୮୮ ପଇସା ଅନଲାଇନ ଜରିଆରେ ପେମେଣ୍ଟ କରିବାକୁ ପଡିବ ।

