Oman Tanker Drone Attack: ଓମାନ ଉପକୂଳରେ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ, ୨ ଭାରତୀୟ ନାବିକ ନିଖୋଜ
ନୂଆଦିଲ୍ଲୀ: ଓମାନ ଉପକୂଳରେ ନିକାରାଗୁଆର ପତାକା ଲାଗିଥିବା ତେଲ ଟ୍ୟାଙ୍କର MT Petro Dolphin ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ଜାହାଜରେ ଥିବା ୧୧ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ୨ ଜଣ ନିଖୋଜ ଅଛନ୍ତି। ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ନିଖୋଜ ନାବିକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଅଭିଯାନ ଜାରି ରହିଛି।
କେନ୍ଦ୍ରୀୟ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ନିଖୋଜ ଭାରତୀୟ ନାବିକଙ୍କୁ ଖୋଜିବା ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଭାରତୀୟ କର୍ତ୍ତୃପକ୍ଷ ଓମାନର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଓମାନର ସୋହାର ଆଙ୍କରେଜ୍ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ।
ହର୍ମୁଜ୍ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଓ ଆକ୍ରମଣ ଉଦ୍ୟମ ବଢ଼ୁଥିବାରୁ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ତେଲ ଓ ଗ୍ୟାସ୍ ପରିବହନ ପାଇଁ ଏହି ସମୁଦ୍ରପଥ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଠାରେ ଜାହାଜ ଉପରେ ଆକ୍ରମଣ ହେବା ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ନାବିକଙ୍କ ସୁରକ୍ଷା ପ୍ରତି ନୂଆ ଚିନ୍ତା ସୃଷ୍ଟି କରିଛି।

