ଭୁବନେଶ୍ଵରରେ ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ! ଲାଗିଛି କାହା ନଜର?
ଭୁବନେଶ୍ୱର,୨୬|୨:ରାଜଧାନୀ ଉପରେ ପଡିଛି ବିପଦ | ଗୋଟିଏ ପରେ ଗୋଟିଏ ଜାଗାରେ ଘଟୁଛି ଅଘଟଣ | ଆପେ ଆପେ ଲାଗିଯାଉଛି ନିଆଁ । ହୁତୁ ହୁତୁ ହୋଇ ନିଆଁ ଜଳୁଛି | ନିଜର ତୀବ୍ର ପ୍ରକୋପରେ ସବୁ କିଛି ଜାଳି ପୋଡି ଧ୍ବଂଶ ଵିଧ୍ଵଂଶ କରି ଦେଉଛି |
ଦିନକ ତଳେ ପ୍ରଥମେ ଲିଙ୍ଗିପୁର ସ୍ଥିତ ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା | ଏହା ପରେ ବାପୁଜୀନଗର ମାର୍ଭେଲ ଫ୍ୟାନ୍ସୀ ହାର୍ଡୱାର ଷ୍ଟୋରରେ ପୁଣିଥରେ ନିଆଁ ଲାଗିଲା। ଆଉ ଆଜି ପୁଣି ଥରେ ରାଜଧାନୀର ତୋଷାଳୀ ଭବନରେ ନିଆଁ ଲାଗିଛି । ଲଗାତର ଭାବେ ୩ ଦିନ ଭିତରେ ଲାଗିଲାଣି ୩ଟି ସ୍ଥାନରେ ନିଆଁ । କୋଟି କୋଟି ଟଙ୍କାର ଜିନିଷ ଏବଂ ଜରୁରୀ କାଗଜପତ୍ର ପୋଡ଼ିକି ନଷ୍ଟ ହୋଇଯାଇଛି |
ଆଜି ସକାଳେ ଭୁବନେଶ୍ଵର ତୋଷାଳୀ ଭବନ ବା ଲୋକାୟୁକ୍ତଙ୍କ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି | ଅଫିସରୁ ବାହାରୁଛି ପ୍ରବଳ ଧୂଆଁ। କାଗଜ ପତ୍ର ସବୁ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି | ସକାଳୁ ସକାଳୁ ହଠାତ ଧୂଆଁ ବାହାରିଥିଲା । କିନ୍ତୁ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏତ ଥିଲା ଆଜିର ଘଟଣା କିନ୍ତୁ ଏହା ପୂର୍ବରୁ ଦୁଇଟି ସ୍ଥାନରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟିଛି | ସୋମବାର ରାତିରୁ ଆରମ୍ଭ କରି ବୁଧବାର ସକାଳ ପର୍ଯ୍ୟନ୍ତ ଜଳୁଥିଲା ଧଉଳି ଲିଙ୍ଗିପୁରରେ ଥିବା ସୁପରମାର୍ଟ । ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଜଳୁଥିଲା ସୁପର ମାର୍ଟ। ନିଆଁର ପ୍ରକୋପ ଏତେ ଜୋରେ ଥିଲାଯେ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ନିୟୋଜିତ ହୋଇଥିଲେ । ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତକୁ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ପାଖା ପାଖି ୫ କୋଟିରୁ ଅଧିକ ଟଙ୍କାର ଜିନିଷ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା ।
ବୁଧବାର ସକାଳେ ମଧ୍ୟ ବାପୁଜୀନଗରରେ ଥିବା ମାର୍ଭେଲ ଫେନ୍ସୀ ହାର୍ଡୱାର ଷ୍ଟୋରରେ ନିଆଁ ଲାଗିଥିଲା । ହୁତ ହୁତ ହୋଇ ଜଳିଥିଲା ପୁରା ଦୋକାନ । ଖବର ପାଇ ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀର ୨ଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିଥିବା କୋଠାରୀ ଭିତରେ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗି ଜଳି ଯାଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । କିନ୍ତୁ ନିଆଁ ଲାଗିବା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ |
ତେବେ ଏ ଅଘଟଣ ଘଟିବା ଜାରି ରହିଛି | ଗତ ବୁଧବାର ରାତିରେ ଆଇଗିଣିଆରେ ଥିବା ଆଳୁଗଦିର କୋଲ୍ଡ ଷ୍ଟୋର ପାଇପ ଫାଟି ଯାଇ ବିଷାକ୍ତ ଆମୋନିଆ ଗ୍ୟାସ୍ ଚାରିଆଡେ ବ୍ୟାପି ଯାଇଥିଲା । ରାତି ଅଧରେ ଅଗ୍ନିଶମବାହିନୀ ପହଞ୍ଚି ଗ୍ୟାସ୍କୁ ବ୍ୟାପିବାରୁ ରୋକିଥିଲା। ଆଉ ପୁଣିଥରେ ଆଜି ସକାଳେ ତୋଷାଳୀ ଭବନ କିମ୍ବା ଲୋକାୟୁକ୍ତଙ୍କ ଅଫିସରେ ଲାଗିଥିଲା ଭୀଷଣ ନିଆଁ । ତେବେ କାହିଁକି ବାରମ୍ବାର ଏଭଳି ଗୋଟାଏ ପରେ ଗୋଟାଏ ଅଘଟଣ ଘଟି ଚାଲିଛି ତାହାକୁ ନେଇ ଉଠୁଛି ପ୍ରଶ୍ନ? ଦୋକାନ, ଅଫିସ କିମ୍ବା ସୁପରମାର୍ଟରେ ରହିଥିବା ଅଗ୍ନି ନିର୍ବିପାକ ବ୍ୟବସ୍ଥା ଉପରେ ମଧ୍ୟ ଉଠିଛି ପ୍ରଶ୍ନ?

