କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ! ଆସନ୍ତା ଏପ୍ରିଲ ପହିଲାରୁ ପେଟ୍ରୋଲ ପମ୍ପରେ ମିଲିବ ୨୦ପ୍ରତିଶତ ଇଥାନଲ୍ ମିଶ୍ରିତ ଇନ୍ଧନ
ନୂଆଦିଲ୍ଲୀ,୨୬|୨: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ! ପ୍ରଦୂଷଣ ହ୍ରାସ କରିବା ଓ ତୈଳ ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅପ୍ରେଲ ୧ତାରିଖରୁ ସାରା ଦେଶରେ ୨୦ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ (ଇ-୨୦) ମିଶ୍ରିତ ପେଟ୍ରୋଲ ବିକ୍ରୟ ହେବ । ଏନେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ସମସ୍ତ ତୈଳ କମ୍ପାନୀଗୁଡ଼ିକୁ ସଂପୃକ୍ତ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।
ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର ତୈଳ ଯୋଗାଣ କମ୍ପାନୀଗୁଡ଼ିକୁ ୨୦ ପ୍ରତିଶତ ଇଥାନଲ୍ ଯୁକ୍ତ ପେଟ୍ରୋଲ ବିକ୍ରି କରିବାକୁ ପଡିବ। ତେବେ ଏହି ଇନ୍ଧନରେ ସର୍ବନିମ୍ନ ୯୫ ଆରଓଏନ୍ (ରିସର୍ଚ୍ଚ ଅକ୍ଟାନ୍ ନମ୍ବର) ରହିବା ମଧ୍ୟ ଜରୁରୀ। ଆରଓଏନ୍ ହେଉଛି ଇନ୍ଧନ ଗୁଣବତ୍ତାର ଏକ ପ୍ରମୁଖ ମାପକ ଯାହା ଇଞ୍ଜିନର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ।
ଇଥାନଲ୍ ଆଖୁ, ମକା ଆଦି ଶସ୍ୟରୁ ଉତ୍ପାଦିତ ହୋଇଥାଏ ।ଏହା ଏକ ନବୀକରଣୀୟ ଇନ୍ଧନ ଏବଂ ପେଟ୍ରୋଲ ଅପେକ୍ଷା କମ୍ ପ୍ରଦୂଷଣକାରୀ ମଧ୍ୟ। ଏହା ଉପରେ ଗୁରୁତ୍ଵାରୋପ କରି ସରକାର କହିଛନ୍ତି ଯେ, ଇଥାନଲ୍ ମିଶ୍ରଣ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତାକୁ କମ କରିବ ଏବଂ ଏହାଦ୍ଵାରା ପ୍ରଦୂଷଣର ମାତ୍ରା ମଧ୍ୟ ହ୍ରାସ ହେବ । ଏତଦ୍ବ୍ୟବ୍ୟ ତୀତ, ଆଖୁ ଓ ମକାର ଚାହିଦା ବୃଦ୍ଧି ହେବ ଯାହାଦ୍ଵାରା ଚାଷୀମାନେ ଲାଭବାନ ହେବେ। ତେବେ ସରକାରଙ୍କ ଏହି ପଦକ୍ଷେପ ପରିବେଶ ଓ ଚାଷୀ ଉଭୟଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।

