ନିର୍ଦ୍ଦୋଷରେ ମୁକ୍ତ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ!
ନୂଆଦିଲ୍ଲୀ,୨୭|୨: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତଥା ଆପ୍ ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଥିବା ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସେମାନଙ୍କ ସହିତ ମୋଟ ୨୩ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲା ଉପରେ ଗୁରୁତ୍ୟାରୋପ କରି ଜଜ୍ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ସିବିଆଇ (ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ୍) ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା, ସେଥିରେ ରେ ପର୍ଯ୍ୟାପ୍ତ ପ୍ରମାଣ ଏବଂ ସାକ୍ଷ୍ୟ ନଥିଲା । ସିବିଆଇର ତ୍ରୁଟିପୂର୍ଣ୍ଣ ଯାଞ୍ଚ ପାଇଁ କୋର୍ଟ ସିବିଆଇକୁ ଭର୍ତ୍ସନା କରିବା ସହିତ ଏହାଦ୍ବାରା ଉପସ୍ଥାପନ କରାଯାଇଥିିବା ବିସ୍ତୃତ ଅଭିଯୋଗଫର୍ଦ୍ଦରେ ଅନେକ ତ୍ରୁଟି ରହିଥିବା ଦର୍ଶାଇଥିଲେ। କେଜ୍ରିୱାଲ ଏବଂ ସିସୋଦିଆ ଏହି ଦୁର୍ନୀତି ମାମଲାରେ ଜଡିତ ଥିବାର କୌଣସି ସ୍ପଷ୍ଟ ପ୍ରମାଣ ସିବିଆଇ ଦେଇପାରି ନଥିଲା ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି ।
ତେବେ କୋର୍ଟଙ୍କ ଏହି ରାୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ “ସତ୍ୟର ଜୟ ହୋଇଛି” । ତେବେ ସିବିଆଇ ପକ୍ଷରୁ ଏହି ରାୟକୁ ଉଚ୍ଚ ଆଦାଲତରେ ଅପିଲ କରାଯିବ ବୋଲି ସୂଚନା ମିଳିଛି । ଯାହାର ଅର୍ଥ ହେଉଛି ଏହି ମାମଲା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ, ଆଗାମୀ ଦିନରେ ଏହା ଉପରେ ପୁଣିଥରେ ମଧ୍ୟ ଶୁଣାଣି ହୋଇପାରେ ଏବଂ କେସ ଲମ୍ବା ସମୟ ପାଇଁ ଚାଲିପାରେ।

