ମନି ଲଣ୍ଡରିଂ ଏବଂ ବେଆଇନ ଜମି ଅଧିଗ୍ରହଣ ମାମଲାରେ ଭୁବନେଶ୍ୱର ହାଇ-ଟେକ୍ ଗ୍ରୁପ୍ କାର୍ଯ୍ୟାଳୟ ଉପରେ ପଶ୍ଚିମବଙ୍ଗ EDର ଚଢ଼ାଉ
ଭୁବନେଶ୍ୱର,୨୭|୨: ଗତକାଲି ଭୁବନେଶ୍ୱରର ସହିଦ ନଗର ସ୍ଥିତ ବିଜ୍ଞାନ ଭାରତୀ ଚାରିଟେବଲ୍ ଟ୍ରଷ୍ଟ (VBCT)ର କାର୍ଯ୍ୟାଳୟରେ ପଶ୍ଚିମବଙ୍ଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ପକ୍ଷରୁ ଚଢ଼ାଉ କରାଯାଇଥିଲା | ଯାହା ହାଇ-ଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ସହିତ ଜଡିତ ଥିଲା।
ବଡ଼ ଧରଣର ବେଆଇନ ଆର୍ଥିକ ହେରଫେର ଅଭିଯୋଗ ପରେ କେନ୍ଦ୍ରୀୟ ଏଜେନ୍ସିର କୋଲକାତା ୟୁନିଟ୍ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା। ମନି ଲଣ୍ଡରିଂ ସନ୍ଦେହ, ଭୁଲ ପରିଚାଳନା ଏବଂ ଟ୍ରଷ୍ଟ ସହିତ ଜଡିତ ସମ୍ଭାବ୍ୟ ବେଆଇନ କାରବାରକୁ ପର୍ଦାଫାଶ କରିବା ଏହି ସର୍ଚ୍ଚ ଅପରେସନ୍ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏକ ବଡ ଧରଣର ଆର୍ଥିକ ହେରଫେର ମାମଲାରେ ତଦନ୍ତକାରୀମାନେ ସମ୍ଭାବ୍ୟ ମୁମ୍ବାଇରେ ମଧ୍ୟ ଯାଞ୍ଚ କରୁଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ସାହାରା ଇଣ୍ଡିଆ ସମ୍ପତ୍ତି ସହିତ ଜଡିତ ଜମି ଜାଲିଆତି ମାମଲାରେ ଏହି ଚଢାଉ କରାଯାଇଛି । ଏହି ଅଭିଯୋଗଗୁଡ଼ିକରୁ ଜଣାପଡିଛି ଯେ, ସାହାରା ଇଣ୍ଡିଆ ସହିତ ଜଡିତ ଜମି ହାଇ-ଟେକ୍ ଗ୍ରୁପ୍ ଦ୍ୱାରା ବେଆଇନ ଭାବେ ଅଧିଗ୍ରହଣ କରାଯାଇଥିଲା, ଯାହା ଫଳରେ ଇଡି ପକ୍ଷରୁ ଏହି ତଦନ୍ତ ଆରମ୍ଭ ହୋଇଛି।
ସହିଦ ନଗର କାର୍ଯ୍ୟାଳୟ ସମେତ ଟ୍ରଷ୍ଟ ସହିତ ଜଡିତ ପାଞ୍ଚଟି ସ୍ଥାନରେ ଖାନ ତଲାସ ଜାରି ରହିଛି | ଯେଉଁଥିରେ ହାଇ-ଟେକ୍ ମେଡିକାଲ୍ କଲେଜ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଇଡି ଚାରିଟେବଲ୍ ଟ୍ରଷ୍ଟର ମୁଖ୍ୟଙ୍କୁ ମଧ୍ୟ ପଚରାଉଚୁରା କରି ତଲାସ ଜାରି ରଖିଛି ED।
ତେବେ ଏପର୍ଯ୍ୟନ୍ତ, ହାଇ-ଟେକ୍ ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଥିବା ତଲାସ ସମ୍ପର୍କରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ଏପରିକି ଇଡି ପକ୍ଷରୁ ମଧ୍ୟ କୌଣସି ପ୍ରକାର ସୂଚନା ମଧ୍ୟ ମିଳିନାହିଁ।

