Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ନିୟମର ଖୁଲମ ଖୁଲା ଉଲଂଘନ! ଟଙ୍କା ଲୋଭରେ ପଡି ଅନାଥ ଆଶ୍ରମର କଲେ ଶିଶୁ ବିକ୍ରି

ଭବାନୀପାଟଣା,୨୮।୨: ଅସହାୟ ଏବଂ ଆର୍ଥିକ ଅନଗ୍ରସର ଶିଶୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ସହାୟତା କରୁଥିବା ବେଳେ ଘଟଣାକୁ ରୋକିବା ପାଇଁ ପୋଷ୍ୟ ଗ୍ରହଣର ବିଧିବଦ୍ଧ ବ୍ୟବସ୍ଥା ବି ରହିଛି। କିନ୍ତୁ ସରକାରୀ ନିୟମକାନୁନକୁ ବେଖାତିର କରି ଅନାଥ ଆଶ୍ରମରୁ ଶିଶୁଙ୍କୁ ବାହାରେ ହସ୍ତାନ୍ତର କରିଦିଆଯାଉଛି। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକରଯଶୋଦା ଆଶ୍ରମରେ। ଏ ଖବର ଜାଣିବା ପରେ ଶିଶୁ ମଙ୍ଗଳ ସମିତି ବା ସିଡବ୍ଲ୍ୟୁସି ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଛି | ଏବଂ ଏ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ ପାଇଁ ନିଜର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଯଶୋଦା ଆଶ୍ରମର ପୋଷ୍ୟସନ୍ତାନ ସଂସ୍ଥାରୁ ଜଣେ ଶିଶୁକୁ ସେଠାକାର ପୋଷ୍ୟସନ୍ତାନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଭବାନୀପାଟଣା ଇରିଗେସନ କଲୋନିସ୍ଥିତ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଦେଇଥିଲେ | ଗତକାଲି ଅର୍ଥାତ ଶୁକ୍ରବାର ଏ ଘଟଣା ସାମ୍ନାକୁ ଆସିଥିଲା | ତେବେ କୌଣସି ଶିଶୁକୁ ପୋଷ୍ୟ ଭାବେ ସ୍ଥାନାନ୍ତର କରାଯିବା ପୂର୍ବରୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ ପାଳନ କରିବାକୁ ପଡିଥାଏ | ଏପରିକି ଶିଶୁକୁ ଯେଉଁ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ସେମାନଙ୍କ ସମ୍ପର୍କରେ ଛାନଭିନ୍‌ ସହିତ ଏକ ସୋସିଆଲ ଷ୍ଟଡି ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏହାପରେ ‘କାରା’ ଦ୍ୱାରା ନିର୍ଦ୍ଧାରିତ ସ୍ବତନ୍ତ୍ର ପୋଷ୍ୟ ନିୟମର ଅନୁପାଳନ ହେବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ତାକୁ ମଞ୍ଜୁର କରିଥାନ୍ତି | ଏତେ ସବୁ ପରେ ଶିଶୁକୁ ନୂତନ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥାଏ । କିନ୍ତୁ ଏହି ଘଟଣାରେ ଆଶ୍ରମର କର୍ମଚାରୀ ଶିଶୁ ମଙ୍ଗଳ ସମିତିରେ ଉକ୍ତ ଶିଶୁକୁ ଉପସ୍ଥାପନ କରାଯାଇ ନଥିବା ବେଳେ ଜିଲା ଶିଶୁ ସୁରକ୍ଷା ବିଭାଗକୁ ବି କୌଣସି ସୂଚନା ଦିଆଯାଇନଥିଲା । ଏହି ଘଟଣା କିଶୋର ନ୍ୟାୟ ଅଧିନିୟମ ୨୦୧୫ର ଧାରା ୮୦କୁ ମଧ୍ୟ ଉଲଂଘନ କରିଛି | ଆଶ୍ରମ କର୍ତ୍ତୃପକ୍ଷ ଲୁଚାଚୋରାରେ ଉକ୍ତ ଶିଶୁକୁ କାହିଁକି ହସ୍ତାନ୍ତର କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି | ଟଙ୍କା ଲୋଭରେ ପଡି ଆଇନଗତ ପ୍ରକ୍ରିୟାକୁ ପାଳନ ନ କରି ଶିଶୁଟିକୁ ବିକ୍ରି କରିଦିଆଯାଇଛି ବୋଲି ଅଭିଯୋଗ ହେଉଛି | ଏହି ଘଟଣା ପରେ ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରିଛନ୍ତି ବୋଲି ଜଣାପଡିଛି | ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ