ସୁବର୍ଣ୍ଣପୁର ଜିଲ୍ଲାର ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି;ରାଜ୍ୟସଭା ପ୍ରାର୍ଥୀ ପାଇଁ ମିଳିଛି ଟିକେଟ!
ଭୁବନେଶ୍ଵର,୨୮।୨ : ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଛି ଟିକେଟ୍। ଏହି ଦୁଇ ଜଣଙ୍କ ନାଁରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମାରିଛନ୍ତି ମୋହର | ତେବେ ଏହି ଦୁଇ ଜଣଙ୍କ ନାଁକୁ ନେଇ ଆଗରୁ ମଧ୍ୟ ଚର୍ଚ୍ଚା ହେଉଥିଲା | ତେବେ ସବୁବେଳେ ରାଜନୀତିରେ ସରପ୍ରାଇଜ ଦେଉଥିବା ନବୀନ ଦଳର କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ଦେବେ ତାକୁ ନେଇ ଥିଲା ଅପେକ୍ଷା । ଅବଶ୍ୟ ସଂତୃପ୍ତ ମିଶ୍ରଙ୍କ ନାମକୁ ନେଇ ସ୍ପଷ୍ଟ ହେଉଥିଲା ସୂଚନା କିନ୍ତୁ ଚତୁର୍ଥ ପ୍ରାର୍ଥୀଙ୍କ ନାମକୁ ନେଇ ରହିଥିଲା ଅପେକ୍ଷା | ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି | କିନ୍ତୁ ଆଲୋଚନା ହେଉଛି ଚତୁର୍ଥ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ନେଇ |
ତେବେ ସୁବର୍ଣ୍ଣପୁର ଜିଲ୍ଲାର ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ | ୟୁରୋଲୋଜି କ୍ଷେତ୍ରରେ ତାଙ୍କର ରହିଛି ୪୦ ବର୍ଷରୁ ଅଧିକ ଅଭିଜ୍ଞତା | ଏହାସହିତ ସେ କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ | ଡକ୍ଟର ଦତ୍ତେଶ୍ୱର ହୋତା ୧୯୮୩ ଏବଂ ୧୯୮୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିଏସ୍ ସମେତ ଜେନେରାଲ ସର୍ଜରୀରେ ଏମଏସ୍ ସହିତ ସ୍ନାତକୋତ୍ତର ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ସେ ୧୯୯୪ ମସିହାରେ ଚଣ୍ଡିଗଡ଼ର PGIMERରୁ ୟୁରୋଲୋଜିରେ MCH ମଧ୍ୟ ସମାପ୍ତ କରିଛନ୍ତି। ସେ ୟୁରୋଲୋଜି ବିଭାଗ ଅଧୀନରେ ଗବେଷଣା କାର୍ଯ୍ୟ ସମେତ ବିଭିନ୍ନ କର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

