ନିଖୋଜ ହୋଇଥିବା Su-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ବାୟୁସେନା ପାଇଲଟ୍ ମୃତ
ନୂଆଦିଲ୍ଲୀ,୬|୩: ଗତକାଲି ଗୁରୁବାର ଭାରତୀୟ ସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହାପରେ ସନ୍ଧାନକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଏବେ ନିଖୋଜ ହୋଇଥିବା ବିମାନଟି କ୍ରାଶ୍ ହୋଇଥିବା ସୂଚନା ମିଳିଛି । ଏନେଇ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ ମୁତାବକ, ଗତକାଲି ଅର୍ଥାତ ଗୁରୁବାର ଭାରତୀୟ ବାୟୁସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିବାର ଘଟଣା ସାମ୍ନାକୁ ଆସିଥିଲା | ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା | ତେବେ ଉକ୍ତ ଜେଟଟି ଆସାମ ଆକାଶରେ ଉଡ଼ୁଥିବା ବେଳେ ହଠାତ ଭାବେ ରାଡାରରୁ ବିଛିନ୍ନ ହୋଇଯାଇ ଅଦୃଶ୍ୟ ହୋଇଯାଇଥିଲା। ଏହାପରେ ବିମାନଟିକୁ ଠାବ କରିବା ପାଇଁ ବାୟୁସେନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ଭାବେ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଦେଇଥିଲେ |ଏକ IAF Su-30 MKI ନିଖୋଜ ହୋଇଥିବା ଖବର ପ୍ରସାରିତ ହେବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରେ ଥିବା ବାୟୁସେନାର ଦୁଇ ଜଣ ପାଇଲଟ୍ ଙ୍କ ମୃତ୍ୟୁ ହୋଇଛି |
ସୂଚାନଯୋଗ୍ୟ, ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଭରିଥିଲା | ସନ୍ଧ୍ୟା ୭.୪୨ ରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା । ଜାତୀୟ ଗଣମାଧ୍ୟମ ଅନୁଯାୟୀ , ସ୍ଥାନୀୟ ଲୋକ କହିଥିଲେ ଯେ ସନ୍ଧ୍ୟା ସମୟରେ ପାହାଡ଼ ପାଖରୁ ଏକ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଦୁର୍ଘଟଣା ଏତେ ଜୋରେ ଥିଲା ଯେ, ସ୍ଥାନୀୟ ବାସିନ୍ଦା ମାନେ ଆତଙ୍କିତ ହୋଇଯାଇଥିଲେ । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ,ବିସ୍ଫୋରଣର କିଛି ସେକେଣ୍ଡ ପରେ ପାହାଡ଼ରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏହି ଦୁର୍ଘଟଣାରେ ସ୍ଥାନୀୟ ଅଂଚଳର କୌଣସି ପ୍ରକାରର କ୍ଷତି ହୋଇନାହିଁ |
ତେବେ IAF Su-30 MKI ହେଉଛି ଭାରତୀୟ ସେନାର ଏକ ଶକ୍ତିଶାଳୀ ଲଢ଼ୁଆ ବିମାନ । ୨୦୦୦ ମସିହାରେ ଏହାକୁ ସ୍କ୍ୱାର୍ଡ୍ରନରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଯାହାର ପ୍ରସ୍ତୁତି ଋଷ କରିଥିଲା । ଏଥିରେ ଆକାଶରୁ ଆକାଶ କିମ୍ବା ଆକାଶରୁ ଭୂମି ଏବଂ ସମୁଦ୍ରରେ ଥିବା କୌଣସି ଶତ୍ରୁଙ୍କୁ ଟାର୍ଗେଟ୍ କରିପାରିବାର କ୍ଷମତା ରହିଛି ।

