ରାଜ୍ୟ ସଭା ନିର୍ବାଚନକୁ ନେଇ ରହିଛି କ୍ରସ ଭୋଟିଂର ଭୟ!
ଭୁବନେଶ୍ୱର ,୬|୩: ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଗତକାଲି ଅର୍ଥାତ ଗୁରୁବାର ନାମାଙ୍କନ ପ୍ରକ୍ରିୟା ସରିଛି । ୪ ଆସନ ପାଇଁ ୫ ପ୍ରାର୍ଥୀ ଭରିଛନ୍ତି ନାମାଙ୍କନ | ବିଜେପି ପକ୍ଷରୁ ପ୍ରଥମ ଏବଂ ଦ୍ଵିତୀୟ ଆସନ ପାଇଁ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାର ନାମାଙ୍କନ ଭରିଥିବା ବେଳେ ବିଜେଡିରୁ ୩ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସନ୍ତୃପ୍ତ ମିଶ୍ର। ପୂର୍ବର ଗଣନା ଅନୁଯାୟୀ ଏହି ୩ ଆସନରୁ ନାମାଙ୍କନ କରିଥିବା ୩ ଜଣ ଯାକ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବାର ସମ୍ଭାବନା ଯଥେଷ୍ଟ ରହିଛି । କିନ୍ତୁ ଲଢେଇ ହେବ ଚତୁର୍ଥ ଆସନକୁ ନେଇ | କାରଣ ଏହି ଆସନ ପାଇଁ ବିଜେଡି ପକ୍ଷରୁ ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି | ଏବଂ ଏଥିରେ କଂଗ୍ରେସ ଏବଂ ସିପିଆଇ(ଏମ୍) ର ସମର୍ଥନ ମଧ୍ୟ ରହିଛି | ଅନ୍ୟପଟେ, ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ଭରିଛନ୍ତି ନାମାଙ୍କନ | ତେବେ ୪ର୍ଥ ଆସନ ଲାଗି ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପାଖରେ ମୋଟ ୩୩ ଖଣ୍ଡ ଭୋଟ ରହିଛି। ଏହି ଆସନରୁ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପଙ୍କ ପାଖରେ ରହିଛି ମୋଟ ୨୨ ଖଣ୍ଡ ଭୋଟ | କିନ୍ତୁ ନାମାଙ୍କନ ଦାଖଲ କରିସାରିବା ପରେ ବିଜେପି ନେତା ଦିଲ୍ଲୀପ ରାୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତିଯେ, ସେ ୨୦୦୨ ରାଜ୍ୟ ସଭା ନିର୍ବାଚନ ଭଳି ଏଥର ବିଜୟ ଲାଭ କରିବେ।
ସୂଚନାଯୋଗ୍ୟ, ୨୦୦୨ରେ ୪ଟି ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହୋଇଥିଲା। ସେହି ସମୟରେ ବିଜେଡି ପକ୍ଷରୁ ୨ ଜଣ ସୁଶ୍ରୀ ଦେବୀ ଏବଂ ପ୍ରମିଳା ବହିଦାର ପ୍ରାର୍ଥୀ ହୋଇଥିଲେ। ଏହାସହିତ ବିଜେପିରୁ ଏକମାତ୍ର ପ୍ରାର୍ଥୀ ଭାବେ ସୁରେନ୍ଦ୍ର ଲାଠ ପ୍ରାର୍ଥୀ ହେଇଥିଲେ। କଂଗ୍ରେସ ପକ୍ଷରୁ ମୋରିସ କୁଜୁର ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ବିଜେଡିରୁ ନିଲମ୍ବିତ ହୋଇଥିବା ଦିଲ୍ଲୀପ ରାୟ ମଧ୍ୟ ସ୍ବାଧୀନ ପ୍ରାଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଉକ୍ତ ନିର୍ବାଚନରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୩ ଜଣ ଭୋଟ୍ ଦେଇ ନ ଥିବା ବେଳେ ଜଣଙ୍କର ଭୋଟ୍ ନାକଚ ହୋଇଯାଇଥିଲା । ସିପିଏମ୍ ଏବଂ ଜନତା ଦଳ(ଏସ୍) ଦଳ ଭୋଟ୍ଦାନରୁ ନିବୃତ୍ତ ରହିଥିଲେ। ଏବଂ ସେହି ସମୟରେ ବିଜେଡି ମନ୍ତ୍ରୀ ଥିବା ଭାଗବତ ବେହେରା ଅସୁସ୍ଥତା ଯୋଗୁ ଭୋଟ୍ ଦେଇପାରି ନଥିଲେ | ତେବେ ମୋଟ୍ ୧୪୩ ଜଣ ଭୋଟ୍ ଦେଇଥିବା ବେଳେ ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ୨୨ଟି ପ୍ରଥମ ପସନ୍ଦ ଭୋଟ୍ ସହିତ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସର୍ବାଧିକ ବିଜେଡି ବିଧାୟକ ବିକ୍ରି ହୋଇଥିଲେ ବୋଲି ଆଲୋଚନା ହେଉଥିଲା | ଏହାସହିତ ବିଜେପି ଏବଂ କଂଗ୍ରେସର କେତେଜଣ ବିଧାୟକ ମଧ୍ୟ ମୋଟା ଅଙ୍କ ନେଇ ବିକ୍ରି ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା । ୨୦୦୨ରେ ରାଜ୍ୟରେ ବିଜେଡି ଏବଂ ବିଜେପିର ମେଣ୍ଟ ସରକାର ରହିଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ସେହି ସମୟରେ ବିଜେଡି ସରକାରରେ ଥିବା ସତ୍ତ୍ୱେ ଯଦି ତାଙ୍କ ଦଳରୁ ସର୍ବାଧିକ କ୍ରସ୍ ଭୋଟିଂ ହେଇଥିଲା, ତେବେ ବର୍ତ୍ତମାନ ସ୍ଥିତିରେ ମଧ୍ୟ ଘଟଣାର ପୁନରାବୃତ୍ତି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଗତକାଲି ନାମାଙ୍କନ ଦାଖଲ ପରେ ଦିଲ୍ଲୀପ ରାୟ ଯେଉଁଭଳି ନିଜର ବିଜୟକୁ ନେଇ ସ୍ପଷ୍ଟତା ରଖିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ?
ତେବେ ଦିଲ୍ଲୀପ ରାୟଙ୍କ ଏଭଳି ବୟାନ ପରେ ଏଥର ପ୍ରବଳ ମାତ୍ରାରେ ବିଧାୟକଙ୍କ ଭୋଟ ଏପଟ ସେପଟ ହୋଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି | ଯଦି ବିଜେଡି ଏବଂ କଂଗ୍ରେସର ପ୍ରାର୍ଥୀ ଯଦି ନିଜ ବିଚାରଧାରାକୁ ନ ବଦଳାନ୍ତି ତେବେ ଏହି ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ବିଜୟୀ ହେବା ଆଶା କମ ରହିଛି । କିନ୍ତୁ ୨୦୨୪ ନିର୍ବାଚନ ପରେ ବିଜେଡି କେତେଜଣ ନେତା ଏବେ ସେମାନଙ୍କ ଭବିଷ୍ୟତକୁ ନେଇ ଦ୍ଵନ୍ଦରେ ରହିଛନ୍ତି | ଗୋଟିଏ ପରେ ଗୋଟିଏ ନେତାଙ୍କୁ ନିଲମ୍ବିତ କରାଯାଉଥିବା ବେଳେ ଏବଂ କଂଗ୍ରେସରେ ମଧ୍ୟ ନେତାଙ୍କ ମଧ୍ୟରେ ଏକତା ନାହିଁ ବୋଲି ଚର୍ଚ୍ଚା ହେଉଛି | ବର୍ତ୍ତମାନ ସମୟରେ ବିଜେଡି ଏବଂ କଂଗ୍ରେସରେ କେତେଜଣ ନେତା ସେମାନଙ୍କ ଭବିଷ୍ୟତକୁ ନେଇ ଦ୍ଵନ୍ଦରେ ରହିଛନ୍ତି ବୋଲି ମଧ୍ୟ ଆଲୋଚନା କରାଯାଉଛି | ବିଶେଷ କରି ବିଜେଡିର ଅଧିକ ସଂଖ୍ୟକ ନେତା ସେମାନଙ୍କ ଦଳର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ଏଭଳି ପରିସ୍ଥିତିରେ ବହୁ ନେତା ଟଙ୍କା ପାଇଲେ ମନ ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ | କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହା ଆଗାମୀ ସମୟ କହିବ |

