କୂଅରେ ପଡ଼ି ଯୁବକ ଆହତ, ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର
ଝାରସୁଗୁଡ଼ା, ୪/୩ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣ୍ଡିପାହାଡ଼ ଗୋଣ୍ଡପଡ଼ା ଗ୍ରାମରେ ବୁଧବାର ଜଣେ ଯୁବକ ଗଭୀର କୂଅରେ ପଡ଼ି ଆହତ ହୋଇଥିବା ଘଟଣା ଘଟିଛି। ଆହତ ଯୁବକ ହେଲେ ସେହି ଗ୍ରାମର ଦୀପକ ଭୈଁସାଲ (୨୨)।
ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସିବା ସହ ଅନେକ ସ୍ଥାନରେ ଜଳ ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଗ୍ରାମବାସୀ ମାନେ ପୂର୍ବ ପ୍ରସ୍ତୁତି ସ୍ୱରୂପ ଗାଁରେ ଥିବା କୂଅକୁ ସଫା କରୁଥିଲେ। ଏହି କାମରେ ଦୀପକ ମଧ୍ୟ ଅନ୍ୟ କିଛି ଯୁବକଙ୍କ ସହ କୂଅ ଭିତରକୁ ଓହ୍ଲାଇ ସଫାସୁତୁରା କାମ କରୁଥିଲେ। କାମ ସରିବା ପରେ ରଶିର ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ହଠାତ୍ ତାଙ୍କ ପାଦ ଖସିଯାଇ ସେ କୂଅ ଭିତରେ ସେ ପଡ଼ି ଯାଇଥିଲେ।
ଏ ସମ୍ବନ୍ଧରେ ଖବର ପାଇ ଲଖନପୁର ଅଗ୍ନିଶମ ବିଭାଗର ଦଳ ତତ୍କ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ ଦୀପକଙ୍କୁ ସୁରକ୍ଷିତ ଭାବେ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ପରେ ତାଙ୍କ ବାମ ହାତ ଭାଙ୍ଗି ଯାଇଥିବା ଜଣା ପଡ଼ିଥିଲା। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ଲଖନପୁର ଅଗ୍ନିଶମ କେନ୍ଦ୍ର ଅଧିକାରୀ ରଞ୍ଜିତ ଲାକ୍ରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ଦିପକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

