ଆଜିଠୁ ତିନି ଦିନ ବିଜୁଳି,ଘଡ଼ଘଡ଼ି ସହ କୁଆପଥର ବର୍ଷା; ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଆଲର୍ଟ !
CREATOR: gd-jpeg v1.0 (using IJG JPEG v62), quality = 82
ଭୁବନେଶ୍ୱର ,୭।୩ : ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ରାଜ୍ୟରେ ବିଜୁଳି, ଘଡଘଡି ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି | କିଛି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ସହିତ କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦କି.ମି ରହିବା ନେଇ ସୂଚନା ରହିଛି। ତେବେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପୂର୍ବ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋରଧା ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବହିପାରେ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି |
ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଟକ, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲା ଗୁଡିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି | ଏହି ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦେଇଛି। ତେବେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

