LPG ସିଲିଣ୍ଡର ଦର ବୃଦ୍ଧି: ଘରୋଇ ଖର୍ଚ୍ଚ ଉପରେ ନୂଆ ଚାପ
ନୂଆଦିଲ୍ଲୀ ,୭|୩: ଦେଶରେ ପୁଣିଥରେ ରାନ୍ଧଣା ଗ୍ୟାସ୍ LPG ସିଲିଣ୍ଡରର ଦର ବଢ଼ିଛି। ତୈଳ କମ୍ପାନୀଗୁଡ଼ିକ ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦରରେ ପ୍ରାୟ ₹୬୦ ଟଙ୍କା ବଢ଼ାଇଛନ୍ତି | ଏହାସହିତ ବ୍ୟବସାୟିକ ୧୯ କେଜି ସିଲିଣ୍ଡରର ଦର ₹୧୧୫ ପର୍ଯ୍ୟନ୍ତ ବଢ଼ିଛି। ଏହି ନୂଆ ଦର ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି, ଯାହାର ପ୍ରଭାବ ସିଧା ସାଧାରଣ ଲୋକଙ୍କ ଦୈନିକ ଖର୍ଚ୍ଚ ଉପରେ ପଡ଼ିବ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ଦର ବୃଦ୍ଧିର ପଛରେ ଆନ୍ତର୍ଜାତୀୟ ତେଲ ଦର ବୃଦ୍ଧି ଓ ମଧ୍ୟପ୍ରାଚ୍ୟର ବିବାଦ ରହିଛି ମୁଖ୍ୟ କାରଣ । ଇରାନ–ଇସ୍ରାଏଲ୍ ଭଳି ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଫଳରେ ଗ୍ଲୋବାଲ୍ ଏନର୍ଜି ବଜାରରେ ଅସ୍ଥିରତା ପ୍ରକାଶ ପାଇଛି | ଯାହାର ପ୍ରଭାବ ଭାରତର LPG ଆମଦାନୀ ମୂଲ୍ୟ ଉପରେ ପଡ଼ୁଛି। ଏହା ସହିତ ରେଷ୍ଟୁରାଣ୍ଟ, ହୋଟେଲ୍ ଓ ଛୋଟ ବ୍ୟବସାୟମାନେ ମଧ୍ୟ ଅଧିକ ଖର୍ଚ୍ଚର ଚାପ ଅନୁଭବ କରିବେ।
ତେବେ ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ପୁଣି ମହଙ୍ଗାଇ ନେଇ ଚର୍ଚ୍ଚା ବଢ଼ିଛି। ରାଜନୈତିକ ମଞ୍ଚରେ ବିରୋଧୀ ଦଳ ସରକାରକୁ ଟାର୍ଗେଟ କରୁଥିବା ବେଳେ, ସରକାର ପକ୍ଷରୁ କୁହାଯାଉଛି ଯେ, ଆନ୍ତର୍ଜାତୀୟ ତେଲ ବଜାର ଓ ଆମଦାନୀ ଖର୍ଚ୍ଚ ବଢ଼ିବାରୁ ଏହି ପରିସ୍ଥିତି ଉଭା ହୋଇଛି। ତେବେ ଆସନ୍ତା ଦିନରେ ଯଦି ବିଶ୍ୱ ତେଲ ବଜାର ସ୍ଥିର ନ ହୁଏ ମହଙ୍ଗାଇ ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି।

