ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ପ୍ରେମ ପ୍ରତାରଣା!
ଭୁବନେଶ୍ୱର,୯ା୩ : ଜଣେ ହିନ୍ଦୁ ଯୁବତୀଙ୍କୁ ଏକ ମୁସଲମାନ ଯୁବକ ପ୍ରେମ ନିର୍ଯାତନା ଦେଇଛନ୍ତି | ଯୁବକ ଜଣକ ନିଜର ପରିଚୟ ଲୁଚାଇ ଯୁବତୀଙ୍କୁ ପ୍ରେମ ଫାସରେ ଫସାଇ ଥିଲେ | ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ମୁସଲିମ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। କେବଳ ଏତିକି ନୁହେଁ ଯୁବକ ଜଣକ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ରଖି ନିର୍ଯାତନା ଦେବା ସହ ରାଜ୍ୟ ବାହାରକୁ ଚାଲାଣ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ | ସହିଦନଗର ଥାନା ଅଞ୍ଚଳରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଖବର ପାଇ ପୋଲିସ ଉକ୍ତ ହୋଟେଲରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଇର୍ଫାନ ଅନ୍ସାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏହାସହିତ ହୋଟେଲରୁ ଏକାଧିକ ନକଲି ପରିଚୟପତ୍ର, କର୍ଣ୍ଣାଟକ ନମ୍ବରର ଏକ କାରରୁ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ |
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଇର୍ଫାନ ଅନସାରୀଙ୍କ ଘର ହେଉଛି କର୍ଣ୍ଣାଟକ ରାଜ୍ୟରେ । ଏବାଙ୍ଗ ପୀଡ଼ିତା ଯୁବତୀଙ୍କ ଘର ହେଉଛି ଓଡ଼ିଶାର ଭଦ୍ରକ ଜିଲ୍ଲାରେ | ଯୁବତୀ ଜଣକ ଚେନ୍ନାଇର ଏକ ହୋଟେଲରେ କାମ କରୁଥିବାବେଳେ ଇର୍ଫାନଙ୍କ ସହ ପରିଚିତ ହୋଇଥିଲା । ତେବେ ଇର୍ଫାନ ପ୍ରକୃତ ପରିଚୟ ଲୁଚାଇ ନିଜ ନାଁ ଜୟରାମ ଶର୍ମା ଓ ହିନ୍ଦୁ ବୋଲି କହି ସମ୍ପର୍କକୁ ଆଗକୁ ବଢାଇଥିଲେ | ଏପରିକି ବାରମ୍ବାର ଯୁବତୀ ଜଣକ କାମ କରୁଥିବା ଉକ୍ତ ହୋଟେଲରେ ରହି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। କେବଳ ସେତିକି ନୁହେଁ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ କିଛିଦିନ ତଳେ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କୁ ପୁରୀ ବୁଲାଇ ଆଣି ହୋଟେଲରେ ମଧ୍ୟ ରଖିଥିଲେ । ଆଉ ସେହି ସମୟରେ ଯୁବତୀ ଜଣକ ତାଙ୍କର ଅସଲି ପରିଚୟ ଜାଣିବାକୁ ପାଇଥିଲେ। ଜୟରାମ ମୁସଲିମ୍ ଧର୍ମର ଓ ତାଙ୍କର ପ୍ରକୃତ ନାମ ଇର୍ଫାନ ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା। ଏହାପରେ ଇର୍ଫାନ ତାଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ପରେ କୌଶଳକ୍ରମେ ଯୁବତୀ ଜଣକ ହୋଟେଲରୁ ବାହାରକୁ ବାହାରିଆସିଥିଲେ ଏବଂ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ ଇର୍ଫାନ ଭୁଲ୍ ମାଗିବା ସହ ଯୁବତୀଙ୍କୁ ବୁଝାଶୁଝା କରି ଭୁବନେଶ୍ୱର ନେଇଆସିଥିଲେ।
ଏହାପରେ ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁହେଁ ପୁଣିଥରେ ରହିଥିଲେ। ସେଠାରେ ପୁଣି ଇର୍ଫାନଙ୍କର ଏକାଧିକ ପରିଚୟପତ୍ର ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ ଖସି ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଇର୍ଫାନ ଜବରଦସ୍ତି ହୋଟେଲ ଭିତରେ ରଖି ମାରପିଟ୍ କରୁଥିଲେ। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ କର୍ଣ୍ଣାଟକ ନେଇଯିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଧର୍ମ ପରିବର୍ତ୍ତନ କରିବା ସମ୍ପର୍କରେ ଯୁବତୀ ମନା କରିବାରୁ ତାଙ୍କୁ ପୁଣି ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ ଇର୍ଫାନ। ଏହାପରେ ଯୁବତୀ ଜଣକ ଫୋନ୍ କରି ଶହୀଦନଗର ଥାନାକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ.୧୩୩/୨୬ ରୁଜୁ କରି ଇର୍ଫାନଙ୍କୁ ଗିରଫ କରିଥିବା ଜଣାପଡିଛି । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା, ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ଏବଂ ନିର୍ଯାତନା ଦେବା ଭଳି ଗୁରୁତର ଦଫା ଲଗାଇ ଅଭିଯୁକ୍ତ ଇର୍ଫାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଇର୍ଫାନ୍ କେବଳ ଏହି ଜଣେ ଯୁବତୀ ନା ଆଗରୁ ଆଉକାହାକୁ ପ୍ରେମ ଫାସରେ ଫସାଇଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

