ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗଛତିଶଗଡ଼ରେ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ, କଲମା ଓ କେଲୋ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ
ଝାରସୁଗୁଡ଼ା ୧୦/୩ (ଓଡ଼ିଶା ନ୍ୟୁଜ) ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନେତୃତ୍ୱରେ ଏକ ୭ ଜଣିଆ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆଜି ଛତିଶଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ପହଞ୍ଚି କେଲୋ ନଦୀରେ ନିର୍ମିତ କେଲୋ ଡ୍ୟାମ୍ ବୁଲି ଦେଖିଥିଲେ। ଏହାପରେ ଟିମ୍ ଶକ୍ତି ଜିଲ୍ଲାରେ ଅବସ୍ଥିତ କଲମା ବ୍ୟାରେଜ ପରିଦର୍ଶନ କରିଥିଲେ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ବିଭିନ୍ନ ବନ୍ଧ ଓ ବ୍ୟାରେଜ ଯୋଗୁଁ ଜଳ ପ୍ରବାହରେ କିପରି ପ୍ରଭାବ ପଡ଼ୁଛି, ସେ ନେଇ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଭାବେ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନଙ୍କ ପରିଦର୍ଶନ ସମୟରେ ମହାନଦୀର ପ୍ରକୃତ ସ୍ଥିତି ଯାଞ୍ଚ ପାଇଁ ଡ୍ରୋନ୍ ଜରିଆରେ ଭିଡିଓ ରେକର୍ଡିଂ କରାଯାଇଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ପାର୍ଶ୍ୱରେ ନଦୀର ଜଳ ସ୍ତରର ସମୀକ୍ଷା କରା ଯାଇଛି। ଏହି ସଂଗୃହିତ ତଥ୍ୟ ଆଧାରରେ ଟ୍ରିବ୍ୟୁନାଲ ଆଗାମୀ ଶୁଣାଣିରେ ନିଜର ରିପୋର୍ଟ ପ୍ରଦାନ କରିବେ ବୋଲି ଅନୁମାନ କରା ଯାଉଛି। ପରିଦର୍ଶନ ସମୟରେ ଏକ ଚିନ୍ତା ଜନକ ଚିତ୍ର ସାମ୍ନାକୁ ଆସିଛି। କଲମା ବ୍ୟାରେଜର ୬୬ ଟି ଯାକ ଗେଟ୍ ପୂର୍ବରୁ ବନ୍ଦ ଥିବା ବେଳେ ଟ୍ରିବ୍ୟୁନାଲ ଆସିବା ପୂର୍ବରୁ ଛତିଶଗଡ଼ ସରକାର କେବଳ ୪ ନମ୍ବର ଗେଟ୍କୁ ୬ ସେଣ୍ଟିମିଟର ଖୋଲିଛନ୍ତି । ଯଦିଓ ଏହା ଦ୍ୱାରା ସାମାନ୍ୟ ପାଣି ଓଡ଼ିଶା ଅଭିମୁଖେ ପ୍ରବାହିତ ହେଉଛି, ତଥାପି ବାସ୍ତବ ସ୍ଥିତି ଅତ୍ୟନ୍ତ ଭିନ୍ନ। ଓଡ଼ିଶା ପଟେ ମହାନଦୀ ଶୁଖିଲା ପଡ଼ିଥିବା ବେଳେ ଛତିଶଗଡ଼ ପଟେ କିନ୍ତୁ ପାଣି ଭରପୂର ରହିଛି।
ଯାହା ଫଳରେ ଛତିଶଗଡ଼ ସରକାର ବ୍ୟାରେଜରେ ପାଣି ଅଟକାଇ ବେଆଇନ ଭାବେ ଶିଳ୍ପ ସଂସ୍ଥା ଗୁଡ଼ିକୁ ଯୋଗାଉଛି। ଏହାର ପ୍ରଭାବରେ ଓଡ଼ିଶାର ହଜାର ହଜାର ଚାଷୀ ଓ ମତ୍ସ୍ୟଜୀବୀ ଜୀବିକା ହରାଉଛନ୍ତି। ବିଶେଷ କରି ଅଣ-ମୌସୁମୀ ସମୟରେ ଛତିଶଗଡ଼ ପାଣି ଛାଡୁ ନଥିବା ଯୋଗୁଁ ଓଡ଼ିଶାରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୬ ତାରିଖରେ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ଛତିଶଗଡ଼ ଗସ୍ତ ପରେ ଏହି ବିବାଦର ଏକ ସ୍ଥାୟୀ ସମାଧାନ ହେବ ବୋଲି ଆଶା କରା ଯାଉଛି।

