୪୦ ଡିଗ୍ରୀ ଛୁଇଁବ ତାପମାତ୍ରା!
ଭୁବନେଶ୍ୱର,୧୧।୩: ବଢୁଛି ତାପମାତ୍ରା। ପଶ୍ଚିମ ଓଡ଼ିଶାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ ଦିନ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଛି। କିନ୍ତୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ
ବୃଦ୍ଧି ପାଇବାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ରାଜ୍ୟର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ଥିବାବେଳେ ସମ୍ବଲପୁରରେ ୩୭.୫, ସୁନ୍ଦରଗଡ଼ରେ ୩୭.୪, ଭବାନୀପାଟଣାରେ ୩୭.୫, ନୂଆପଡ଼ାରେ ୩୭, ରାଉରକେଲାରେ ୩୭.୧, ଭୁବନେଶ୍ବରରେ ୩୩.୩ ଏବଂ କଟକରେ ୩୨ଡିଗ୍ରୀ ରେ ପହଞ୍ଚିଛି। ସେହିପରି ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

