ହୁତୁ ହୁତୁ ହୋଇ ଜଳିଗଲା ମଞ୍ଚେଶ୍ବର ରେଳଡବା ମରାମତି କାରଖାନାରେ! କୋଟିକୋଟି ଟଙ୍କାର ସରଞ୍ଜାମ ଓ କଞ୍ଚାମାଲ ଜଳି ପୋଡି ନଷ୍ଟ
ଭୁବନେଶ୍ବର,୧୩।୩: ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କାଲି ରାତି ପ୍ରାୟ ୮ଟା ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଗତକାଲି କାରଖାନା ଭିତରେ କିଛି ଠିକାସଂସ୍ଥା କର୍ମଚାରୀ ଏକ ଯାତ୍ରୀବାହୀ ବଗି କଟିଂ କରି ଅଧାରେ କାମଛାଡ଼ି ପଳେଇ ଯାଇଥିଲେ। ଆଉ ପରେ ୱେଲ୍ଡିଂ ନିଆଁ ଝୁଲ କୁହୁଳି ବଗିରେ ଲାଗିଯାଇଥିଲା। ପରେ କିଛି ସମୟ ମଧ୍ୟରେ ନିଆଁ ସବୁଆଡ଼େ ବ୍ୟାପିଯାଇଥିଲା । କାରଖାନା ଭିତରେ କୋଟି କୋଟି ଟଙ୍କାର ନୂଆ ଓ ପୁରୁଣା ମରାମତି ଉପକରଣ ସହିତ କାଠ, ପ୍ଲାଷ୍ଟିକ୍ ଚଦର, ଫୋମ୍, ପ୍ଲାଇ ଓ କତା ଗଦି ରହିଥିଲା। ଯାହା ଫଳରେ ନିଆଁ ପ୍ରଚଣ୍ଡ ବେଗରେ ହୁତୁହୁତୁ ଜଳି ଚାଲିଲା।
ସୂଚନା ପାଇ ସ୍ଥାନୀୟ ବାସିନ୍ଦା ପ୍ରଥମେ ଆର୍ପିଏଫ୍ ଓସିଙ୍କୁ ଖବର ଦେଇଥିଲେ। ଏହାସହିତ ଚନ୍ଦ୍ରଶେଖରପୁର, କଳ୍ପନା ଏବଂ ସିଆରପି ଛକରୁ ୫ଟି ଦମକଳ ଆସି ନିଆଁଲିଭାଇବାକୁ ଉଦ୍ୟମ ଜାରି ରଖିଥିଲେ । ଅଗ୍ନିଶମକର୍ମଚାରୀ ପ୍ରାୟ ଏକଘଣ୍ଟା ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। କିନ୍ତୁ ଧୂଆଁ ଆଖପାଖ ଅଞ୍ଚଳରେ ବ୍ୟାପି ନିକଟ ଜନବସତିର ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆର୍ପିଏଫ୍ ତଦନ୍ତ କରୁଥିବା କଥା କହିଛି। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସ୍କ୍ରାପ୍ ସହିତ ଅନେକ ନୂଆ କଞ୍ଚାମାଲ ଓ ସରଞ୍ଜାମ ଜଳି ପାଉଁଶ ହୋଇଯାଇଛି।

