Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡ କଲମା ବ୍ୟାରେଜ୍‌ରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ, ଓଡ଼ିଶାକୁ ପାଣି ଛାଡ଼ିବାକୁ ‘ମହାନଦୀ ବଞ୍ଚାଅ ଅଭିଯାନ’ର ଦାବି

ଝାରସୁଗୁଡ଼ା ୧୪/୩ (ଓଡ଼ିଶା ନ୍ୟୁଜ): ଛତିଶଗଡ କଲମା ବ୍ୟାରେଜ୍ ଠାରେ ଶନିବାର ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ର କରି ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି । ଓଡ଼ିଶାକୁ ତାର ନ୍ୟାୟ ସଂଗତ ଜଳ ଅଧିକାର ଦେବା ଦାବିରେ ‘ମହାନଦୀ ବଞ୍ଚାଅ, ଜୀବିକା ବଞ୍ଚାଅ ଅଭିଯାନ’ ପକ୍ଷରୁ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।
ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ, ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରି ମହାନଦୀର ଜଳ ପ୍ରବାହକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ରୋକି ଦେଇଛନ୍ତି । ଉକ୍ତ ଜଳକୁ ମୁଖ୍ୟତଃ ଶିଳ୍ପ ସଂସ୍ଥା ଗୁଡ଼ିକୁ ଯୋଗାଇ ଦିଆ ଯାଉଛି । ଯାହା ଫଳରେ ଓଡ଼ିଶା ଆଡ଼କୁ ଆସୁଥିବା ନଦୀଶଯ୍ୟା ଶୁଖିଲା ପଡ଼ିଥିବା ବେଳେ ଚାଷୀ ଓ ମତ୍ସ୍ୟଜୀବୀ ମାନେ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଣୁ ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ, ଓଡିଶା – ଛତିଶଗଡ଼ ପକ୍ଷରୁ ଉପସ୍ଥାପନ କରିଥିବା ଦାବି ଗୁଡ଼ିକ ମଧ୍ୟରେ ରହିଛି:-ଟ୍ରିବୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉ କିନ୍ତୁ ତଦନ୍ତକୁ ବିଳମ୍ୱ ନକରି ଗୋଟିଏ ସମୟ ସୀମା ମଧ୍ୟରେ ଶୁଣାଣୀକୁ ଶେଷ କରି ରାୟ ପ୍ରକାଶ କରାଯାଉ, ପାଣି ଉପରେ ପ୍ରତ୍ୟେକ ଲୋକଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଏକ ଆଇନ ଅଣାଯାଉ,ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁ ମାନଙ୍କରେ ମଧ୍ୟ ମହାନଦୀର ଜଳ ସ୍ରୋତ ପୂର୍ବରୁ ଯାହା ଥିଲା ତାହା ବଜାୟ ରଖିବା ପାଇଁ ଓଡିଶା ଏବଂ ଛତିଶଗଡ଼ ଉଭୟ ସରକାର ଚୁକ୍ତି କରନ୍ତୁ, ଉଭୟ ରାଜ୍ୟ ସରକାର ମହାନଦୀ ପାଣିର ବର୍ତ୍ତମାନ ସ୍ଥିତି ,ଉତ୍ସ, ତାର ଉପଯୋଗ, ସଂରକ୍ଷଣ ଏବଂ ଜଳ ପ୍ରଦୂଷଣ ସମ୍ପର୍କରେ ଏକ ଶ୍ୱେତ ପତ୍ର ଜାରି କରନ୍ତୁ, ଜାତୀୟ ଜଳନୀତି ଆଧାରରେ ସାଧାରଣ ଜନତାଙ୍କୁ ପ୍ରଥମେ ପିଇବା ପାଣି, କୃଷି ପାଇଁ ଜଳ ସେଚନ ବ୍ୟବସ୍ଥା, ଗ୍ରାମୀଣ ଉଦ୍ୟୋଗ ତଥା ପଶୁପକ୍ଷୀ ଓ ବନ୍ୟପ୍ରାଣୀଙ୍କ ପାଇଁ ପାଣି ସୁନିଶ୍ଚିତ କରନ୍ତୁ, ଜଳର ବ୍ୟବସାୟି କରଣ ନୀତିକୁ ବାତିଲ କରାଯାଉ, ପାଣିକୁ ପଣ୍ୟଦ୍ରଵ୍ୟରେ ପରିଣତ କରା ନଯାଉ, ମହାନଦୀର ସୁରକ୍ଷା ପାଇଁ ଦୁଇ ରାଜ୍ୟର ମହାନଦୀ ଏବଂ ଏହାକୁ ସଂଯୋଗ କରୁଥିବା ନଦୀ ପାର୍ଶ୍ଵରେ ଥିବା ପ୍ରଦୂଷଣକାରୀ ଶିଳ୍ପ ଗୁଡିକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ କୌଣସି ବୃହତ ଶିଳ୍ପକୁ ନଦୀର ଜଳ ଦେବା ନୀତିକୁ ବାତିଲ କରାଯାଉ । ଯଦି ଏହି ଦାବି ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି।
ଏହି ଅବସରରେ ଆନ୍ଦୋଳନର ମୂଖ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ, ଅଣ ମୌସୁମୀ ସମୟରେ ମହାନଦୀର ସ୍ୱାଭାବିକ ଜଳ ପ୍ରବାହକୁ ରୋକିବା ଅନୁଚିତ । ଏହା ତଳ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକାକୁ ବିଶେଷ ଭାବେ ପ୍ରଭାବିତ କରୁଛି । ତେଣୁ କଲମା ବ୍ୟାରେଜ୍‌ର ଗେଟ୍ ତୁରନ୍ତ ଖୋଲି ଓଡ଼ିଶାକୁ ପର୍ଯ୍ୟାପ୍ତ ପାଣି ଛାଡ଼ିବା ପାଇଁ ସେ ଦାବି କରିଥିଲେ।
ଆଜିର ବିକ୍ଷୋଭରେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତ୍ରୀପାଠୀ ଙ୍କ ସହ ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ ଓ ଅନ୍ୟତମ ଆବାହକ ଅନନ୍ତ, ଗୋପୀନାଥ ମାଝୀ, ବିରଞ୍ଚି ସାହୁ ଏବଂ ଛତିଶଗଡ଼ ରାଜ୍ୟ ପ୍ରତନିଧି ସର୍ବଶ୍ରୀ ରଘୁବୀର ପ୍ରଧାନ, ମଦନ ପଟେଲ, ଅଭିଷେକ ସୋନି ଙ୍କ ସମେତ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ପ୍ରଭାବିତ ଚାଷୀ, ମତ୍ସ୍ୟଜୀବୀ ଓ ସାମାଜିକ କର୍ମୀ ଯୋଗ ଦେଇ ଓଡ଼ିଶା ପ୍ରତି ଛତିଶଗଡ଼ ସରକାରଙ୍କ ଏକ ତରଫା ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories