ଡିଭାଇଡ଼ରକୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ; ଘଟଣାରେ ୨ ମୃତ
ସୋର,୧୯।୩: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଧକା ଦେଇଛି । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଏକ ଆଳୁ ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଆଉ ସେହି ସମୟରେ ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାଳନଗର ନିକଟରେ ଅନ୍ୟଏକ ଗାଡିକୁ ଧକା ଦେବା ସହିତ ରାସ୍ତାର ଡିଭାଇଡ଼ରକୁ ଧକା ଦେଇଥିଲା।
ଏହି ଦୁର୍ଘଟଣାରେ ଗାଡିର ଚାଳକ ଓ ହେଲପର ଆଳୁବସ୍ତା ସହ ପୋଲ ତଳକୁ ଖସି ଚାପିହୋଇ ରହିଥିଲେ। ସୂଚନା ପାଇ ପେଟ୍ରୋଲିଂ ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ ସ୍ଥାନୀୟ ଲୋକ ମାନେ ସହଯୋଗର ହାତ ବଢ଼ାଇ ଥିଲେ | ସେମାନଙ୍କ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

