Cyclone Akvan: ଗଞ୍ଜାମରେ କ୍ଷୟକ୍ଷତି ଦେଖିଲେ CM Mohan Majhi, ୨୫ ହଜାର ଚାଷୀଙ୍କୁ ମିଳିଲା ସହାୟତା
ଗଞ୍ଜାମ: ବାତ୍ୟା ‘ଅକଭାନ୍’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ଅମଳ ଅପେକ୍ଷାରେ ଥିବା ଧାନ ଫସଲ ନଷ୍ଟ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଞ୍ଜାମ ଗସ୍ତ କରି ଛତ୍ରପୁର ଓ ପୁରୁଷୋତ୍ତମପୁର ବ୍ଲକ୍ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନଷ୍ଟ ହୋଇଥିବା ଫସଲ ଓ ଜଳମଗ୍ନ ଚାଷଜମି ଦେଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀ, ଘର ହରାଇଥିବା ପରିବାର ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏଥିପାଇଁ ରିଲିଫ୍ କୋଡ୍ରେ ପରିବର୍ତ୍ତନ କରାଯାଇ ସହାୟତା ରାଶି ବୃଦ୍ଧି କରାଯାଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ଅର୍ଣ୍ଣବ ସମୟରେ ୨ ଲକ୍ଷ ୧୧ ହଜାର ଏବଂ ଅକଭାନ୍ ସମୟରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାରେ କୌଣସି ଜୀବନହାନି ହୋଇନଥିବା ସେ କହିଛନ୍ତି। ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କା ସହାୟତା ଦିଆଯାଉଛି। ଏହାର ପ୍ରାୟ ୮୦ ପ୍ରତିଶତ ଚାଉଳ ବଣ୍ଟନ ହୋଇସାରିଛି। ୨,୫୦୦ରୁ ଅଧିକ ଘରଭଙ୍ଗା ପରିବାର ଓ ୨୫ ହଜାରରୁ ଅଧିକ ଚାଷୀଙ୍କୁ ସହାୟତା ମିଳିସାରିଛି। ବାକି ସହାୟତା ଚଳିତ ମାସ ଶେଷ ସୁଦ୍ଧା ଦେବାକୁ ଲକ୍ଷ୍ୟ ରହିଛି। ରାସନ୍ କାର୍ଡ ନଥିବା ପରିବାର ମଧ୍ୟ ବଞ୍ଚିତ ହେବେ ନାହିଁ; ସେମାନଙ୍କ ପାଇଁ ଘରକୁ ଘର ସର୍ଭେ କରାଯିବ। ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷତିକୁ ମଧ୍ୟ ବିଚାରକୁ ନେଇ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ସରକାର କହିଛନ୍ତି।

