ଦୀର୍ଘ ୮ ବର୍ଷ ପରେ ଦୂର୍ଗାଶିନୀଙ୍କୁ ମିଲିଲା ନ୍ୟାୟ ସମ୍ପୃକ୍ତ ବ୍ୟାଙ୍କ ଜିଲ୍ଲା ଖାଉଟି ଅଦାଲତ ଦ୍ଵାରା ଦଣ୍ଡିତ ୫୦ ହଜାର ଟଙ୍କା ଜରିମାନା ସହ ଏନଓସି ଦେବାକୁ ନିର୍ଦ୍ଦେଶ
ଝାରସୁଗୁଡା ୨୦/୦୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଳା ଖାଉଟି ଅଦାଲତରେ ଚାଲିଥିବା କେଶ୍ ନଂ ୧୧୨/୨୦୧୮ ମାମଲାର ଶୁଣାଣି କରି ଦୀର୍ଘ ଆଠ ବର୍ଷ ପରେ ଗ୍ରାହକଙ୍କୁ ଅଦାଲତ ନ୍ୟାୟ ପ୍ରଦାନ କରିଛନ୍ତି । ସମ୍ପୃକ୍ତ ବ୍ୟାଙ୍କକୁ ଦୋଷୀ ସାବ୍ୟସ୍ତ କରି ୫୦ ହଜାର ଟଙ୍କା ଜରିମାନା ସହ ଏନଓସି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଚନା ମତେ ୨୦୧୮ ମସିହାରେ ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ନିବାସୀ ଶ୍ରୀମତି ଦୁର୍ଗାଶିନୀ ଦେହରିଆ ଇନ୍ଦୁସ୍ଲାଣ୍ଡ ବ୍ୟାଙ୍କରୁ ଋଣ ନେଇ ଗୋଟିଏ ଟାଟା ମ୍ୟାଜିକ (ଓଡି ୧୫ ଜି ୩୬୧୨) ଗାଡ଼ି କିଣିଥିଲେ। ସେହି ଗାଡ଼ିକୁ ପରିବାରର ଜୀବିକା ପାଇଁ ସ୍ବାମୀଙ୍କୁ ଚଳାଇବାକୁ ଦେଇଥିଲେ। କିନ୍ତୁ କିଛି ମାସ ଦରମା ବନ୍ଦ ହେବା ସହ ଆର୍ଥିକ ପରିସ୍ଥିତି ଯୋଗୁଁ ସେ ପାଞ୍ଚଟି କିସ୍ତି ଦେଇ ପାରିନଥିଲେ। ଏହା ପରେ ବ୍ୟାଙ୍କର ସଂପୃକ୍ତ ଅଧିକାରୀ ମାନେ ଗାଡ଼ିକୁ ରାସ୍ତାରୁ ଜୋର୍ ଜବରଦସ୍ତି ଜବତ କରି ନିଲାମ କରି ଦେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀମତି ଦେହରିଆ ଗାଡ଼ିକୁ ଫେରସ୍ତ କରିବା ପାଇଁ ଅନେକ ଥର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କୁ ଯଥୋଚିତ ସୁଯୋଗ ନ ଦେଇ ବ୍ୟାଙ୍କ ଚତୁରତାର ସହ ଗାଡ଼ିକୁ ବିକ୍ରୟ କରି କରିଥିଲେ । ଶେଷରେ ନିରାଶ ହୋଇ ଝାରସୁଗୁଡ଼ା ଜିଲ୍ଲା ଖାଉଟି ଅଦାଲତର ସହାୟତା ନେଇଥିଲେ। ପ୍ରାଥମିକ ଶୁଣାଣିରେ ତାଙ୍କ ପକ୍ଷରେ ରାୟ ଆସିଥିଲା । ପରେ ବ୍ୟାଙ୍କ ପକ୍ଷରୁ ଏହାକୁ ରାଜ୍ୟ ଖାଉଟି କମିଶନରେ ଚ୍ୟାଲେଞ୍ଜ କରା ଯାଇଥିଲା, କିନ୍ତୁ ମାମଲାଟିକୁ ପୁନଃ ଜିଲ୍ଲା ଅଦାଲତକୁ ଶୁଣାଣି ପାଇଁ ପଠା ଯାଇଥିଲା ।
ପୁନଃ ଶୁଣାଣି ସମୟରେ ବ୍ୟାଙ୍କ ପକ୍ଷରୁ ମଧ୍ୟସ୍ଥତା ରାୟକୁ ମୂଖ୍ୟ ଆଧାର କରା ଯାଇଥିଲେ ମଧ୍ୟ ଅଦାଲତ ସମସ୍ତ ପରିସ୍ଥିତିକୁ ବିଚାର କରି ଶେଷରେ ଶ୍ରୀମତି ଦେହରିଆଙ୍କ ପକ୍ଷରେ ରାୟ ଦେଇଛନ୍ତି ।।ଅଦାଲତଙ୍କ ଆଦେଶ ଅନୁସାରେ, ବ୍ୟାଙ୍କକୁ ସମସ୍ତ ବାକି କିସ୍ତି ମାଫ କରି ଗୋଟିଏ ମାସ ମଧ୍ୟରେ ଏନଓସି ପ୍ରଦାନ କରିବା ସହ ମାନସିକ ଓ ଆର୍ଥିକ କ୍ଷତି ପାଇଁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ। ଦୀର୍ଘ ୮ ବର୍ଷ ପରେ ମିଳିଥିବା ଏହି ନ୍ୟାୟ ସାଧାରଣ ଉପଭୋକ୍ତାଙ୍କ ପାଇଁ ଏହା ଏକ ବଡ଼ ସନ୍ଦେଶ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

