୨୬ ତାରିଖ ପର୍ଯ୍ୟନ୍ତ ବର୍ଷା! ୧୯ ଜିଲ୍ଲାକୁ ୱାର୍ଣ୍ଣିଙ୍ଗ
ଭୁବନେଶ୍ୱର,୨୦।୩: ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ସର୍ବାଧିକ ୫୭.୪ ମି.ମି. ବର୍ଷା ରେକର୍ଡ ହୋଇଛି | ଅନ୍ୟପଟେ ,ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ୟାନମ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୨୬ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ଆଜିଠାରୁ ଶୁକ୍ରବାରଠାରୁ ୩ଦିନ ଯାଏ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଶୁକ୍ରବାର ପାଇଁ ରାଜ୍ୟର ୨୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ମିଳିଛି ସତର୍କ ସୂଚନା | ସେହିପରି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ | ଏହାସହ ଝଡ଼ପବନ ଓ କୁଆପଥର ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କି.ମି. ବେଗ ବହିବା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ସମୟରେ ସତର୍କତା ଅବଲମ୍ବନ ସହ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସତର୍କ ସୂଚନା ଦେଇଛନ୍ତି |

