ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ !
ନୀଳଗିରି, ୨୩|୩ : ପାନ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଷ୍ଟେସନସାହି-କାହାଳିଆ ରାସ୍ତାର ଏକ କେନାଲ ନିକଟରେ | ଗୁରୁତର ଭାବେ ଆହତ ହୋଇଥିବା ପାନ ଦୋକାନୀ ଜଣକ ହେଉଛନ୍ତି କାହାଳିଆ ଅଞ୍ଚଳର ୫୨ ବର୍ଷୀୟ ବୟସ୍କ ପ୍ରଦୀପ ପଣ୍ଡା | ସେ ପୂର୍ବରୁ ନୀଳଗିରି ଡାକ୍ତରଖାନା ନିକଟରେ ଏକ ପାନ ଦୋକାନ ଦେଇଥିଲେ । ସେଠାରେ ପାନ ଦୋକାନ ପାଖରେ ତାଙ୍କୁ ୪, ୫ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ସୂଚନା ଅନୁସାରେ , ପ୍ରଦୀପ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ସେ ଏଥିରେ ବିରୋଧ କରିବାରୁ ପରେ ଭୁଜାଲି ଓ କଟୁରିରେ ପ୍ରଦୀପଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ରକ୍ତ ଜୁଡୁବୁଡୁ ହୋଇ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଏହି ଦୋକାନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନାପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

