ବଢିବ ତାପମାତ୍ରା! ଅଂଶୁଘାତ ଆଶଙ୍କାକୁ ଏଡ଼ାଇବାକୁ ଶ୍ରମ ବିଭାଗର ଗାଇଡଲାଇନ
ଭୁବନେଶ୍ୱର,୨୪|୩: ଆଗକୁ ଆହୁରି ବଢିବ ଖରା | ବୃଦ୍ଧି ପାଇବ ତାପମାତ୍ରା | ଅସହ୍ୟ ହେବ ତାତି | ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ | ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଅନ୍ୟପଟେ, ରାଜ୍ୟରେ ଆଗକୁ ବଢିବାକୁ ଥିବା ଗ୍ରୀଷ୍ଣ ପ୍ରବାହକୁ ଦେଖି ନୂଆ ଗାଇଡଲାଇନ୍ ଆଣିଛି ଶ୍ରମ ବିଭାଗ ।
ଏହି ନୂଆ ଗାଇଡଲାଇନ୍ ରେ ଅଂଶୁଘାତ ପ୍ରମୁଖ ଭାବେ ଗୁରୁତ୍ୱ ଦିଆଯାଇଛି | ଅଂଶୁଘାତ ଜନିତ ଆଶଙ୍କାକୁ ହ୍ରାସ କରିବାକୁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପାଇଁ ବିଶେଷ ପଦକ୍ଷେପ ନିଆଯିବ | ଏନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ନିଯୁକ୍ତିଦାତା ଗ୍ରୀଷ୍ମ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରିବାକୁ ସବୁ ରାଜସ୍ବ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

