ଟ୍ରାଫିକ୍ ଅଭିଯାନର ପ୍ରଥମ ଦିନରେ ୯ କୋଟିରୁ ଅଧିକ ଚାଲାଣ!
ମାର୍ଚ୍ଚ ୨୧ରୁ ଓଡ଼ିଶାରେ ସଡ଼କ ସୁରକ୍ଷାକୁ ନେଇ କଡ଼ା ଟ୍ରାଫିକ୍ ଯାଞ୍ଚ ଆରମ୍ଭ ହୋଇଛି । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା କମେଇବାକୁ ଲକ୍ଷ୍ୟ ରଖି ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ୨୧ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଆର୍ଟିଓ ଓ ଅତିରିକ୍ତ ଆର୍ଟିଓମାନଙ୍କୁ କଡ଼ା ଯାଞ୍ଚ ପାଇଁ କୁହାଯାଇଛି । ଜାତୀୟ ଓ ରାଜ୍ୟ ରାଜପଥ, ବଜାର, ବସ୍ଷ୍ଟାଣ୍ଡ, ସହର ଓ ଦୁର୍ଘଟଣାପ୍ରବଣ ସ୍ଥାନରେ ଦ୍ରୁତଗତିରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ହେଲମେଟ୍ ବିନା ଗାଡି ଚଳାଇବା , ସିଟ୍ବେଲ୍ଟ୍ ନ ପିନ୍ଧିବା, ୧୮ରୁ କମ ବୟସର ପିଲା ଡ୍ରାଇଭିଂ କରିଲେ ଓ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନ ଉପରେ ଖାସ ନଜର ରହିଛି । ଏହା ସହ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି, ଯାହାଦ୍ୱାରା ଲୋକେ କେବଳ ଜରିମାନାର ଭୟରେ ନୁହେଁ, ନିଜ ସୁରକ୍ଷା ପାଇଁ ମଧ୍ୟ ନିୟମ ମାନନ୍ତୁ ।
ବର୍ତ୍ତମାନ ପରିସ୍ଥିତି ଦେଖିଲେ, ଏହି ଅଭିଯାନର ପ୍ରଥମ ଦିନରେ ଅର୍ଥାତ ମାର୍ଚ୍ଚ ୨୧ରେ ସାରା ଓଡ଼ିଶାରେ ୧୭,୮୩୧ଟି ଇ-ଚାଲାଣ କଟାଯାଇଛି ଏବଂ ମୋଟ ଜରିମାନା ରାଶି ୯.୫୭ କୋଟି ଟଙ୍କାକୁ ଅତିକ୍ରମ କରିଛି । ଏହାସହ ୬୪ଟି ଗାଡ଼ି ମଧ୍ୟ ଜବତ ହୋଇଛି । ଏତେ ବଡ଼ ପରିମାଣର ଚାଲାଣ ଦେଖାଉଛି ଯେ ରାଜ୍ୟରେ ଏବେ ମଧ୍ୟ ବହୁ ଲୋକ ଟ୍ରାଫିକ୍ ନିୟମକୁ ହାଲକାରେ ନେଉଛନ୍ତି । ସରକାରଙ୍କ କହିବା ଅନୁସାରେ, ଏହି କଡ଼ା ଅଭିଯାନର ଲକ୍ଷ୍ୟ କେବଳ ଟଙ୍କା ଆଦାୟ ନୁହେଁ, ବରଂ ଆସନ୍ତା ଦିନରେ ସଡ଼କ ଦୁର୍ଘଟଣା କମେଇବା ଓ ଲୋକଙ୍କ ଜୀବନ ବଞ୍ଚାଇବା ।

