Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଦେବ ଦେବ ମହାଦେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ପୋଲିସ ପ୍ରଶାସନ ପକ୍ଷରୁ ନିୟୋଜିତ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର, ୨୬|୩: ଆଜି ଅନୁଷ୍ଠିତ ହେବ ଦେବ ଦେବ ମହାଦେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା | ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ | ଗତ କାଲି ରାତିରେ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚିକୁଣ୍ଡରୁ ଏକ ଘଡ଼ା ପାଣି ଆସିଥିଲା। ଆଉ ଏହା ପରେ ପୁରୀରୁ ଆସିଥିବା ରାଜଗୁରୁଙ୍କ ଦ୍ୱାରା କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ୧୮ଜଣ ସଦସ୍ୟଙ୍କୁ ଗୁଆ, ନଡ଼ିଆ, ପଇତା ବସ୍ତ୍ର ଦେଇ ବରଣ କରାଯାଇଥିଲା । ତା’ପରେ ଆରମ୍ଭ ହୋଇଥିଲା ପ୍ରଥମ ପ୍ରତିଷ୍ଠା କାର୍ଯ୍ୟ। ଦୀର୍ଘ ସାଢ଼େ ୩ଘଣ୍ଟା ଧରି ଚାଲିଥିଲା ପୂଜାର୍ଚ୍ଚନା ଆଉ ହୋମ | ତା ପରେ ରଥ ଉପରେ ଚାରିଦ୍ୱାର ଏବଂ ରଥରେ ପୂର୍ବରୁ ଆସିଥିବା ମରୀଚିକୁଣ୍ଡରେ ପାଣି ସିଞ୍ଚନ କରାଯାଇ ଦଧିନଉତିରେ ଧ୍ୱଜା ବନ୍ଧାଯାଇ ରଥ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା | ଏନେଇ ବରିଷ୍ଠ କ୍ଷେତ୍ରବାସୀ ବ୍ରାହ୍ମଣ ସେବାୟତ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୬ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

ରୁକୁଣା ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ, ବିଏମ୍‌ସି, ଜଳ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଯାତ୍ରା ଅବସରରେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଆପାତକାଳୀନ ଚିକିତ୍ସାରେ ସହଯୋଗ କରିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ରହିଛି। ଖରାକୁ ଧ୍ୟାନରେ ରଖି ଜଳ ସିଞ୍ଚନର ବ୍ୟବସ୍ଥା ମଧ୍ୟ ହୋଇଛି | ମନ୍ଦିର ସିଂହଦ୍ୱାରକୁ ବିଭିନ୍ନ ଫୁଲରେ ସଜାଯାଇଛି। ଗୁରୁବାର ଦୈନିକ ନୀତି, ଆଳତି ଅବକାଶ, ଦର୍ଶନ, ପହଣ୍ଡି ରଥରେ ପୂଜା, ଚାରମାଳ ଖୋଲାଯିବା ପରେ ଅପରାହ୍ନ ୨ଟା ୩୦ରେ ରଥ ଟଣାଯିବା ନେଇ ସମୟ ଧାର୍ଯ୍ୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ