Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ! ହୋଇପାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ୱର, ୨୭|୩: ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପଡିପାରେ କାଳବୈଶାଖୀର ପ୍ରଭାବ | ଲାଗି ରହିପାରେ ଝଡ଼ ବର୍ଷା । କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ିର ମଧ୍ୟ ଆଶଙ୍କା ରହିଛି । ସେହିପରି ପବନର ବେଗ ମଧ୍ୟ ୩୦ରୁ ୫୦ କିମି ବହିପାରେ। ଏନେଇ ଆକଳନ କରିଛି ପାଣିପାଗ ବିଭାଗ।

ସୂଚନା ଅନୁଯାୟୀ, ଏଇ ସପ୍ତାହରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ବଢିବାର ସମ୍ଭାବନା ଅଛି । ମାତ୍ର ୨ରୁ ୮ ତାରିଖ ଭିତରେ ଦିନର ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି କାଳବୈଶାଖୀର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ଭୀଷଣ ଝଡ଼ ବର୍ଷା ହୋଇଛି । ଆଜି ମଧ୍ୟ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହେବ ନେଇ ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଝଡ଼ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ପବନର ବେଗ ୪୦ରୁ ୫୦ କିମି ରହିପାରେ । ସେହିପରି ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ଓ ବର୍ଷା ହେବ ନେଇ ସମ୍ଭାବନା ରହିଛି ।

ଗତକାଲି ରାଜଧାନୀ ଭୁବନେଶ୍ଵରରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା | ଏହାର ପ୍ରଭାବରେ ଭୟଙ୍କର ଘଡ଼ଘଡ଼ି ଓ ବିଜୁଳି ସହ ପ୍ରାୟ ଏକ ଘଣ୍ଟା ଧରି ବର୍ଷ ହୋଇଥିଲା | ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିଥିଲା | ସେହିପରି କିଛି ସ୍ଥାନରେ ୨୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ଗତ ଦୁଇ ଦିନ ହେଲା ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହିଥିଲା। ସେହିପରି ଉତ୍ତର ଓଡ଼ିଶା ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀର ସମ୍ଭାବନା ରହିଛି |ଏଣୁ ତାପମାତ୍ରା ଆଗକୁ ୩ରୁ ୪ ଦିନ ସ୍ଥିର ର‌ହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ