ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବାକୁ ଅପରାଧ ମନାଯିବ ନାହିଁ: ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ
ଆହ୍ଲାବାଦ, ୨୮|୩: ବିବାହ ପରେ ମଧ୍ୟ ପୁରୁଷ ରହିପାରିବେ ଲିଭ୍-ଇନ ରିଲେସନସିପରେ | ଏହାକୁ ଅପରାଧ ମନାଯିବ ନାହିଁ | ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଜଣେ ବିବାହିତ ପୁରୁଷ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ନାଗରିକଙ୍କ ଅଧିକାରକୁ ରକ୍ଷା କରିବା ଲାଗି କୌର୍ଟଙ୍କ କର୍ତ୍ତବ୍ୟ ଉପରେ ସାମାଜିକ ନୈତିକତା ଚାପ ପକାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଲିଭ୍-ଇନ ରିଲେସନସିପରେ ରହୁଥିବା ଏକ ବିବାହିତ ଦମ୍ପତିଙ୍କ ସୁରକ୍ଷା ମାମଲା ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁସାରେ, ସାମାଜିକ ନୈତିକତା କେବେ ହେଲେ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା କ୍ଷେତ୍ରରେ କୋର୍ଟଙ୍କ କର୍ତ୍ତବ୍ୟକୁ ବାଧା ଦେଇପାରିବ ନାହିଁ । ଯଦି ଆଇନ ଅନୁଯାୟୀ କୌଣସି ଅପରାଧ ହୋଇନାହିଁ, ତେବେ ସାମାଜିକ ମତାମତ ଏବଂ ନୈତିକତା ଦ୍ୱାରା କୋର୍ଟଙ୍କ ନିଷ୍ପତ୍ତି ପରିଚାଳିତ ହେବ ନାହିଁ । ବିଚାରପତି ଜେଜେ ମୁନିର ଓ ବିଚାରପତି ତରୁଣ ସକ୍ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ଐତିହାସିକ ରାୟର ଶୁଣାଣି ହୋଇଛି |
ଉତ୍ତର ପ୍ରଦେଶର ଶାହାଜାହାନପୁରର ଏକ ଲିଭ୍-ଇନ୍ ଦମ୍ପତିଙ୍କ ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଏକ ୧୮ ବର୍ଷିୟା ଯୁବତୀ ନିଜ ପରିବାରଠାରୁ ଜୀବନ ପ୍ରତି ବିପଦ ଥିବା ଏବଂ ”ଅନର କିଲିଂ”ର ଭୟ ଥିବା କାରଣ ଦର୍ଶାଇ କୋର୍ଟଙ୍କ ସହଯୋଗ ଲୋଡ଼ିଥିଲେ | ସେ ତାଙ୍କ ଆବେଦନରେ ସ୍ପଷ୍ଟ କରିଥିଲେଯେ, ସେ ଜଣେ ବୟସ୍କା ଏବଂ ନିଜ ସ୍ୱଇଚ୍ଛାରେ ସେହି ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନରେ ରହୁଛନ୍ତି | ଏହା ପୂର୍ବରୁ ଏନେଇ ଶାହାଜାହାନପୁର ପୁଲିସ୍ ଅଧୀକ୍ଷକଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।
ଶାହାଜାହାନପୁର ଏସପିଙ୍କ ନିଷ୍କ୍ରିୟତା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ଏକାଠି ରହୁଥିବା ଦୁଇଜଣ ବୟସ୍କ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପୁଲିସର ପ୍ରାଥମିକ ଦାୟିତ୍ୱ ରହିବା କଥା ବୋଲି କୋର୍ଟ କହିଛନ୍ତି । ଏହାସହ ଜଣେ ନାଗରିକ ବିବାହିତ ହୁଅନ୍ତୁ ବା ଅବିବାହିତ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଇଁ ସମାନ । କେବଳ ବିବାହ କରିନାହାନ୍ତି ବୋଲି ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ଏହାସହିତ ହାଇକୋର୍ଟ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି । ଏଥିପାଇଁ ତେବେ ପରିବାରର କୌଣସି ସଦସ୍ୟ ଦମ୍ପତିଙ୍କୁ ଶାରୀରିକ କ୍ଷତି ପହଞ୍ଚାଇ ପାରିବେ ନାହିଁ , ସେମାନଙ୍କ ଘରେ ଜବରଦସ୍ତି ପ୍ରବେଶ କରିପାରିବେ ନାହିଁ କିମ୍ବା ଫୋନ୍ ବା ସୋସିଆଲ ମିଡିଆ ଜରିଆରେ ସମ୍ପର୍କ କରିପାରିବେ ନାହିଁ । ଏହାସହିତ ଆବେଦନକାରୀଙ୍କ ସୁରକ୍ଷା ପାଇଁ ଶାହାଜାହାନପୁର ଏସପି ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

