ଦୀର୍ଘ ୨୦ ଦିନ ପରେ ଜଙ୍ଗଲରୁ ମିଳିଲା ବୃଦ୍ଧାଙ୍କ କଙ୍କାଳ; ଘଟଣାରେ ପୋଲିସର ତଦନ୍ତ
ବଲାଙ୍ଗୀର, ୩୧|୩ : ଜଙ୍ଗଲରୁ ମିଳିଛି ନରକଙ୍କାଳ! ମହୁଲ ସଂଗ୍ରହ ପାଇଁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ | ଦୀର୍ଘ ୨୦ ଦିନ ପରେ ଜଙ୍ଗଲ ଭିତରୁ ବୃଦ୍ଧାଙ୍କ କଙ୍କାଳ ମିଳିଛି | ସୂଚନା ଅନୁସାରେ, ବଲାଙ୍ଗୀର ମୁରିବାହାଲ ଥାନା ଅନ୍ତର୍ଗତ ଗୁଲମୀ ଜଙ୍ଗଲରୁ ଗତକାଲି ଏକ ନରକଙ୍କାଳ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା କଙ୍କାଳଟି ନିକଟସ୍ଥ ଦାଢ଼ିଆପଦର ଗ୍ରାମର ଜଣେ ନିଖୋଜ ବୃଦ୍ଧା ଦୁଲାରି ପୁଟେଲଙ୍କର ବୋଲି ସୂଚନା ମିଳିଛି । ପରିବାର ଲୋକେ କଙ୍କାଳଟିକୁ ଚିହ୍ନଟ କରିଛନ୍ତି ।
ସୂଚନା ଅନୁଯାୟୀ, ଦାଢ଼ିଆପଦର ଗ୍ରାମର ଉକ୍ତ ବୃଦ୍ଧା ଜଣକ ଗତ ୧୦ ତାରିଖରେ ମହୁଲ ସଂଗ୍ରହ କରିବା ପାଇଁ ନିକଟସ୍ଥ ଗୁଲମୀ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ବୃଦ୍ଧାଙ୍କ ପୁଅ ମୁରିବାହାଲ ଥାନାରେ ଗତ ୧୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲ ବାଟ ଦେଇ ଯାଉଥିବା ସମୟରେ ଏକ କଙ୍କାଳ ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବୃଦ୍ଧାଙ୍କ ପରିବାରକୁ ଖବର ଦେଇଥିଲା । କଙ୍କାଳର ବେକରେ ଥିବା ମାଳିରୁ ଏହା ଉକ୍ତ ନିଖୋଜ ବୃଦ୍ଧାଙ୍କ କଙ୍କାଳ ବୋଲି ପରିବାର ଲୋକେ ସ୍ପଷ୍ଟ କରିଥିଲେ । ତେବେ ବୃଦ୍ଧାଙ୍କ ମୃତ୍ୟୁ କିଭଳି ଆଉ କେଉଁ ପରିସ୍ଥିତିରେ ହେଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଅନ୍ୟପଟେ, ପୁଲିସ୍ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

