ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ସଂସଦ ଭବନର ଉଦଘାଟନ, ଦେଶର ପ୍ରଥମ ନାଗରିକଙ୍କ ପ୍ରତି ମୋଦୀ ସରକାରଙ୍କ ଅପମାନ


ନୂଆଦିଲ୍ଲୀ: ସଂସଦ କହିଲେ ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ବୁଝାଏ। ଭାରତୀୟ ସଂସଦୀୟ ବିଧି ବ୍ୟବସ୍ଥାରେ ରାଷ୍ଟ୍ରମୁଖ୍ୟ ବା ରାଷ୍ଟ୍ରପତି ହେଉଛନ୍ତି ସର୍ବୋପରି। ତାଙ୍କ ବିନା ଦସ୍ତଖତରେ ଦେଶରେ କୌଣସି ଆଇନ ଲାଗୁ ହୋଇ ପାରିବ ନାହିଁ। ସେ ସଂସଦର ସଦସ୍ୟ ହୋଇନଥିଲେ ବି ଏହାର ଅବିଚ୍ଛେଦ୍ୟ ଅଙ୍ଗ। ଏହି ପରିପ୍ରେକ୍ଷୀରେ ତାଙ୍କ ଅନୁପସ୍ଥିତିରେ ନୂତନ ସଂସଦ ଭବନର ଉଦଘାଟନ କରାଯିବା କେତେ ଦୂର ସମୀଚିନ। ଏମିତି କରି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ଗୌଣ କରିବା ସହ ଅପମାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ଵାରା ଭବନର ଉଦଘାଟନ ନହେବାରୁ ବିରୋଧୀ ସମେତ ୨୯ ଦଳ ସମାରୋହକୁ ବହିଷ୍କାର କରିଛନ୍ତି। ଯେଉଁ ରାଷ୍ଟ୍ରପତିଙ୍କୁ ବିରୋଧୀମାନେ ଅପମାନ କରୁଥିବା ବିଜେପି ଅଭିଯୋଗ କରିଥିଲା, ଆଜି ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ବିନା କରାଯିବା କଣ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ନୁହେଁ କି ?

ସଂସଦ ଭବନ ଉଦଘାଟନରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାହା ରହିବା କଥା, ବିରୋଧୀ ଦଳ ନେତାଙ୍କ ଭୂମିକା ମଧ୍ୟ ସେୟା ରହିବା ଉଚିତ। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠି ସଂସଦର ନୂତନ ଗୃହ ଉଦଘାଟନ ପାଇଁ କେନ୍ଦ୍ର ସରକାର ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରିବାର ଥିଲା। କେବଳ ରାଷ୍ଟ୍ରପତିଙ୍କ ଉଦଘାଟନ କରିବାର ନୈତିକ ଏବଂ ସାମ୍ବିଧାନିକ ଅଧିକାର ରହିଛି। ତେଣୁ ନୂତନ ସଂସଦ ଭବନର ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରା ନଯିବା ସଂସଦୀୟ ପରମ୍ପରା ପ୍ରତି ଘୋର ଅପମାନ।
ରାଷ୍ଟ୍ରପତି ଥାଉ ଥାଉ ପ୍ରଧାନମନ୍ତ୍ରୀ ଏହାର ଲୋକାର୍ପଣ କରିବା କେବଳ ଅଶୋଭନୀୟ ନୁହେଁ, ଏହା ଅନେକାଂଶରେ ଅନୈତିକ ମଧ୍ୟ।

ଏହି ପ୍ରସଙ୍ଗକୁ ବିରୋଧୀ ଦଳ ଗୁଡିକ ଉଠାଇବାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି । ବିରୋଧୀମାନଙ୍କ କହିବା କଥା ରାଷ୍ଟ୍ରପତି ସଂସଦର ମୁଖ୍ୟ ହୋଇଥିବାରୁ ତାଙ୍କ ହାତରେ ହିଁ ନୂତନ ଭବନର ଉଦଘାଟନ ହେବା ଉଚିତ୍। ତେଣୁ ଦାବିରେ ବିରୋଧୀମାନେ ଉଦଘାଟନ ସମାରୋହକୁ ବର୍ଜନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରପତିଙ୍କୁ ନିଜ ରାଜନୀତି ପାଇଁ ବ୍ୟବହାର କରିବାର ଉଦ୍ୟମ କରିଛନ୍ତି। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବରେ ସଂସଦର ନୂଆ ଭବନର ଉଦଘାଟନ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କର ରହିଛି ।

ସମ୍ବିଧାନ ଅନୁଯାୟୀ ସରକାର ଏବଂ ସଂସଦର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କରି ନାଁ ରେ ସରକାର ଚାଲେ। ସରକାରଙ୍କ ନୀତି ସଂସଦରେ ବିଲ ଭାବରେ ଗୃହୀତ ହୁଏ, ହେଲେ ଏହା ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଯାଇ ଆଇନରେ ପରିଣତ ହୁଏ। ରାଷ୍ଟ୍ରପତି ସଂସଦର ସଦସ୍ୟ ନୁହନ୍ତି, ହେଲେ ସମ୍ବିଧାନର ଧାରା ୭୯ ଅନୁଯାୟୀ ସେ ସଂସଦର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ରାଷ୍ଟ୍ରପତିଙ୍କୁ ସଂସଦ ଉଦଘାଟନ ଉତ୍ସବକୁ ନ ଡାକିବା ସମ୍ବିଧାନର ସର୍ବୋଚ୍ଚ ପଦ ଓ ଗରିମା ପ୍ରତି ଅପମାନ ।

ଅନେକ ସମୟରେ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟରେ ଦେଶର ସଂଘୀୟ ଢାଞ୍ଚାର ଘୋର ଅପମାନ କରିଛନ୍ତି। ଲୋକସଭାରେ ନିଜର ସଂଖ୍ୟା ବଳରେ ଅନେକ ବିଧେୟକ ବିନା ଆଲୋଚନରେ ଗୃହୀତ କରାଯାଇଛି। ବିରୋଧୀଙ୍କୁ ଉଚିତ୍ ସମ୍ମାନ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି। ବିରୋଧୀ ଦଳର ନେତାଙ୍କ ଭୂମିକା କେନ୍ଦ୍ରରେ ନେତୃତ୍ଵାଧୀନ ମୋଦୀ ସରକାର ଗୌଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ରାଷ୍ଟ୍ରପତିଙ୍କୁ ସଂସଦ ଉଦଘାଟନ ଉତ୍ସବକୁ ନ ଡକାଇ ମୋଦୀ ସରକାର ନିଜର ମନମୁଖୀ ଏବଂ ଏକଚାଟିଆ କାମର ଆଉ ଏକ ଜ୍ଵଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି, ଯାହା ଦେଶ ପାଇଁ କଦାପି ଗ୍ରହଣୀୟ ନୁହେଁ। ଯେଉଁ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧୀ ଦଳ ଅପମାନ କରୁଥିବା ବିଜେପିର ନେତାମାନେ ଡିଣ୍ଡିମ ପିଟନ୍ତି, ସେହି ରାଷ୍ଟ୍ରପତିଙ୍କ ଦ୍ଵାରା ଭବନର ଉଦଘାଟନ କରାନଯିବା ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି।