Bihar Boat Accident: ଗଙ୍ଗାରେ ଡଙ୍ଗା ବୁଡ଼ି ୧୪ ଶିଶୁଙ୍କ ମୃତ୍ୟୁ, ରାଘୋପୁର CO ଦୀପକ କୁମାରଙ୍କୁ ପଦରୁ ହଟାଇଲା ପ୍ରଶାସନ
ବିହାର: ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୪ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଘୋପୁରର ସର୍କଲ ଅଫିସର (CO) ଦୀପକ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଅକ୍ଟୋବର ୧୩ରେ ରାମପୁର ଶ୍ୟାମଚନ୍ଦ ପଞ୍ଚାୟତ ନିକଟରେ ଗଙ୍ଗା ନଦୀରେ ଏହି ଦୁର୍ଘଟଣା ଘଟିଥିଲା। ବୈଶାଳୀ ଜିଲ୍ଲାପାଳ ବର୍ଷା ସିଂ ଅକ୍ଟୋବର ୧୫ରେ ଦୀପକ କୁମାରଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ପୂର୍ବରୁ ଦୀପକ କୁମାର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଥିଲା। ଏଥିସହ ଦୁହିଁଙ୍କୁ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲା ପ୍ରଶାସନ। ଡଙ୍ଗା ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।
ଏହି ସମୟରେ ପାଟେପୁରର ସର୍କଲ ଅଫିସର ପ୍ରଭାତ କୁମାରଙ୍କୁ ରାଘୋପୁରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୪ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେଇଛି। ତେବେ ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ଓ ତଦନ୍ତର ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷାରେ ରହିଛି।

