କେନାଲ ମଧ୍ୟରୁ ମିଳିଲା ନିଖୋଜ ହୋଇଥିବା ୭ ବର୍ଷର ଶିଶୁକନ୍ୟାର ମୃତଦେହ; ହତ୍ୟା ନେଇ ବଢ଼ିଲା ସନ୍ଦେହ!
ରାଜନଗର, ୪ | ୪ : କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ବଡ଼କୋଲ୍ଲା ଗାଁରୁ ଏକ ଦୁଖଦଃ ଘଟଣା ସାମ୍ନାକୁ ଆସିଛି | ଗତକାଲିଠାରୁ ନିଖୋଜ ହୋଇଥିବା ଶିଶୁକନ୍ୟାର ମୃତଦେହ ଆଜି କେନାଲ୍ରୁ ମଧ୍ୟରୁ ମିଳିଛି । ତେବେ ମୃତ ଶିଶୁ ଜଣକ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁର ମାନଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ (୭)। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା ମଧ୍ୟ ଜାରି ରଖିଛି | ନାତି ମୃତ୍ୟୁର ପ୍ରତିଶୋଧ ନେବାକୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ , ପ୍ରାୟ ବର୍ଷେ ହେବ ଧରି ମୃତକ ଶୁଭଲକ୍ଷ୍ମୀ ମା’ଙ୍କ ସହ ମାମୁଘର ବଡ଼କୋଲ୍ଲା ଗାଁରେ ରହୁଥିଲେ। ତେବେ ଗତକାଲି ସେ ଗାଁରେ ଚାଲିଥିବା କୀର୍ତ୍ତନକୁ ଯାଇଥିବା ବେଳେ ଦିନ ପ୍ରାୟ ୧୧ଟା ପରଠାରୁ ନିଖୋଜ ରହିଥିଲେ । ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶୁଭଲକ୍ଷ୍ମୀ ନ ମିଳିବାରୁ ଅଜା କଳ୍ପତରୁ ନାୟକ ଶେଷରେ ଥାନାରେ ଏତଲା ଦେଇଥିଲେ | ଅନ୍ୟପଟେ ଏହି ଘଟଣା ପୂର୍ବରୁ ଘଟିଥିବା ଏକ ଘଟଣାକୁ କେନ୍ଦ୍ରିତ କରୁଥିବା ଅନୁମାନ କରାଯାଉଛି | ଅନ୍ୟପଟେ, କଳ୍ପତରୁଙ୍କ ପଡ଼ୋଶୀ ବେଣୁ ଦାସଙ୍କ ନାତି ୫ ମାସ ତଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲା। ଆଉ ଏଥିପାଇଁ ଶୁଭଲକ୍ଷ୍ମୀଙ୍କୁ ବେଣୁ ଦାସ ଦାୟୀ କରିଥିବା ବେଳେ ୬ ମାସ ଭିତରେ ତାଙ୍କୁ ହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଆସୁଥିଲେ | ଏ ବିଷୟରେ ଅଜା କଳ୍ପତରୁ ନାୟକ ଓ କାଳନ୍ଦୀ ନାୟକ ପୁଲିସକୁ କହିଥିଲେ। ତେବେ ଗତକାଲି ଖୋଜାଖୋଜି ସମୟରେ ଗାଁଠାରୁ ପ୍ରାୟ ୨୦୦ ମିଟର ଦୂର କେନାଲ ନିକଟରୁ ତାଜା ରକ୍ତ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଜଣାଇଥିଲେ।
ଯାହା ପରେ ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢ଼ିଥିଲା। ଆଜି ଦିନ ୧୦ଟାରେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଗ୍ନିଶମ ବାହିନୀ, ଏସ୍ଡିପିଓ ସୁକାନ୍ତ ପାତ୍ର, ଆଇଆଇସି ନରେଶ ସାହୁ ପ୍ରମୁଖ ଗାଁ ନିକଟ ହଂସୁଆ ନଦୀକୁ ସଂଯୋଗ କରିଥିବା କେନାଲରେ ଖୋଜାଖୋଜି ପାଇଁ ଯାଞ୍ଚ ଜାରି ରଖିଥିବା ବେଳେ କଲ୍ଭର୍ଟ ତଳୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଭାସି ଆସିଥିଲା। ସନ୍ଧାନ ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପୁଲିସ ତଦନ୍ତ ସମୟରେ ସନ୍ଧାନୀ କୁକୁରକୁ ସାମିଲ କରାଯାଇଥିଲା | ସନ୍ଧାନୀ କୁକୁର ଶୁଭଲକ୍ଷ୍ମୀଙ୍କ ମାମୁଘର ଭିତରେ ଥିବା ଦୁଇଟି କୋଠରିକୁ ଯିବା ପରେ ଶୁଭଲକ୍ଷ୍ମୀଙ୍କୁ ହତ୍ୟା ଧମକ ଦେଇ ଆସୁଥିବା ଅଭିଯୁକ୍ତ ପଡ଼ୋଶୀ ବେଣୁ ଦାସଙ୍କ ଘର ଭିତରେ ପ୍ରବେଶ କରିଥିଲା। ବେଣୁଙ୍କ ଘର, ରୋଷେଇ ଘରକୁ ଯିବା ପରେ ଗାଁ ସ୍କୁଲ୍ ନିକଟକୁ ଯାଇ ପଛପଟ କେନାଲ୍ରେ ଶୋଇ ରହିଥିଲା। ଏହା ପରେ ଅଭିଯୁକ୍ତ ବେଣୁ ଓ ତାଙ୍କ ପୁଅକୁ ପୁଲିସ ଆଣି ପଚରାଉଚୁରା ଜାରି ରଖିଛି ।

