ଲାଗୁ ହେଲା ନୂଆ ଶ୍ରମ କୋଡ୍; କମ୍ପାନୀ ଛାଡିବାର ଦୁଇ ଦିନରେ କର୍ମଚାରୀଙ୍କୁ ମିଳିବ ଦରମା, ଗୋଟିଏ ବର୍ଷ ଚାକିରିରେ ମିଳିବ ଗ୍ରାଚ୍ୟୁଇଟି ଟଙ୍କା
ନୂଆଦିଲ୍ଲୀ, ୪|୪ : ଦେଶରେ ଲାଗୁ ହୋଇଛି ନୂଆ ଶ୍ରମ କୋଡ୍ । ପୁରୁଣା ନିୟମରେ ହୋଇଛି ସଂଶୋଧନ । ଯାହା ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଯଦି ଜଣେ ବ୍ୟକ୍ତି କୌଣସି କମ୍ପାନୀରେ ଚାକିରି କରିଛନ୍ତି ଏବଂ ହଠାତ ଭାବେ ସଂସ୍ଥା ଛାଡ଼ି ଦେଉଛନ୍ତି । ତାହେଲେ ଆପଣଙ୍କ ପୁରା ସେଟଲମେଣ୍ଟ ହେବାକୁ ମାତ୍ର ଦୁଇଦିନ ସମୟ ଲାଗିବ |
ଏହି ନୂଆ ଶ୍ରମ କୋଡ୍ ଅନୁଯାୟୀ, କେହି କର୍ମଚାରୀ ଯଦି ଚାକିରି ଛାଡ଼ିଲେ କିମ୍ବା କାହାରିକୁ ସଂସ୍ଥା ତରଫରୁ ବାହାର କରି ଦିଆଯାଏ ତେବେ ମାତ୍ର ୨ଟି କାର୍ଯ୍ୟ ଦିବସରେ ପୁରା ସେଟଲମେଣ୍ଟ କରିବାକୁ ପଡ଼ିବ । ଯେଉଁ ଦିନ ପର୍ଯ୍ୟନ୍ତ କାମ କରିଥିବେ ସେତିକି ଦିନ ପର୍ଯ୍ୟନ୍ତ ଦରମା ସହ ସମସ୍ତ ବକେୟା ସଂସ୍ଥା ଛାଡ଼ିବାର ୨ ଦିନରେ ମଧ୍ୟରେ କର୍ମଚାରୀଙ୍କୁ ମିଳିଯିବ |
ତେବେ ପୂର୍ବରୁ କେହି କର୍ମଚାରୀ ଯଦି କମ୍ପାନୀ ଛାଡୁଥିଲେ କିମ୍ବା କମ୍ପାନୀ ବାହାର କୌଣସି କାରଣରୁ ବାହାର କରି ଦେଉଥିଲା ତେବେ ବକେୟା ଟଙ୍କା ମିଳିବାରେ ବିଳମ୍ବ ହେଉଥିଲା | କର୍ମଚାରୀଙ୍କୁ ପ୍ରାୟ ୪୦ରୁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା । ଯାହା ଫଳରେ ଜଣେ କର୍ମଚାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ।
ଏବେ ନୂଆ ଶ୍ରମ କୋଡ୍ ଲାଗୁ ହେବା ଫଳରେ ଏହି ଅସୁବିଧା ଦୂର ହେବା ନେଇ ଆଶା ରହିଛି । କାହିଁକି ନା ଏବେ କମ୍ପନୀ ପକ୍ଷରୁ ଏହି ଦୁଇଦିନ ମଧ୍ୟରେ ସବୁ ସେଟଲମେଣ୍ଟ ହୋଇଯିବ । କିନ୍ତୁ କିଛି ସର୍ତ୍ତ ଥିବା କମ୍ପାନୀରେ ସେଟଲମେଣ୍ଟ ପାଇଁ ପ୍ରାୟ ଗୋଟିଏ ମାସ ସମୟ ଲାଗିପାରେ ।
ତେବେ କଣ ଏହି ନୂଆ ଶ୍ରମ ନିୟମ? ୨୦୨୬ ଏପ୍ରିଲ୍ ୧ ତାରିଖରୁ ନୂଆ ନିୟମ ଅନୁଯାୟୀ , କର୍ମଚାରୀଙ୍କ ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ କମ୍ପନୀକୁ ମାତ୍ର ୨ଟି କାର୍ଯ୍ୟ ଦିବସରେ କରିବାକୁ ପଡିବ । Code on Wages, ୨୦୧୯ନିୟମ ଅନୁସାରେ ଏହାକୁ ଲାଗୁ ହୋଇଛି । କମ୍ପାନୀ କର୍ମଚାରୀଙ୍କୁ ବାହାର କରିବା କିମ୍ବା କର୍ମଚାରୀ ସ୍ଵଇଚ୍ଛାରେ ଛାଡ଼ିବା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।
ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ ପ୍ରକ୍ରିୟା ହେଉଛି, ଜଣେ କର୍ମଚାରୀ ସଂସ୍ଥା ଛାଡ଼ିଲେ ମିଳୁଥିବା ବକେୟା ଦରମା ଏବଂ ଅନ୍ୟ ହିସାବପତ୍ର ହେଉଛି ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ । ଯେଉଁଥିରେ କେବଳ ଦରମା ନୁହେଁ ଅନ୍ୟ ଭତ୍ତା ଯେପରିକି କାର୍ଯ୍ୟ ଦିବସ ଅନୁସାରେ ଶେଷ ମାସର ଦରମା, ପ୍ରଦର୍ଶନ ଆଧାରରେ ମିଳୁଥିବା ବୋନସ୍, ଅଫିସ୍ ସହ ଜଡ଼ିତ ଯାତ୍ରା ଖର୍ଚ୍ଚ, ଟ୍ଯାକ୍ସ, ଅଗ୍ରୀମ ଦରମା, ଋଣ ଏବଂ କମ୍ପାନୀର ସାମଗ୍ରୀ ନ ଫେରାଇଲେ ଟଙ୍କା କାଟଏବଂ ଅନ୍ୟାନ୍ୟ ସେବା ମଧ୍ୟ ମିଶାଯାଇ ଗଣନା କରାଯାଇଥାଏ ।
ଏହି ନୂଆ ଶ୍ରମ କୋଡ୍ରେ କିଛି ନୂଆ ପରିବର୍ତ୍ତନ ମଧ୍ୟ ହୋଇଛି । ଏଣିକି ଗୋଟିଏ ବର୍ଷ କୌଣସି କମ୍ପାନୀରେ ଚାକିରି କଲେ ଗ୍ରାଚ୍ୟୁଇଟି ଲାଭ ମିଳିବ । ପୂର୍ବରୁ କୌଣସି ସଂସ୍ଥାରେ ଅତି ବେଶିରେ ୫ ବର୍ଷ କାର୍ଯ୍ୟ କଲେ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ମିଳୁଥିଲା । କିନ୍ତୁ ଏବେ ମାତ୍ର ଗୋଟିଏ ବର୍ଷ ଚାକିରିରେ ମିଳିବ ଗ୍ରାଚ୍ୟୁଇଟି ଟଙ୍କା । ନୂଆ ଶ୍ରମ ନିୟମ ଅନୁଯାୟୀ ଏବେ କମ୍ପାନୀ ଏହାକୁ ୩୦ ଦିନ ମଧ୍ୟରେ ପ୍ରଦାନ କରିବ ।

