Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହା ହେବା ପାଇଁ ଡାକ୍ତରଙ୍କୁ ୧୦୦ ଜଣ ନା କହିଲେ, ଗୋଟିଏ ‘ହଁ’ ବଦଳାଇଦେଲା ହଜାର ଜୀବନ

ନୂଆଦିଲ୍ଲୀ, 7|4: ମହାରାଷ୍ଟ୍ରର ଜଙ୍ଗଲ ଅଞ୍ଚଳ ମେଲଘାଟ୍ ରେ ଏକ ଅସାଧାରଣ ସେବାର କାହାଣୀ ଲେଖିଛନ୍ତି ଡାକ୍ତର ଦମ୍ପତି ଡା. ରବୀନ୍ଦ୍ର କୋଲହେ ଓ ଡା. ସ୍ମିତା କୋଲହେ । ୧୯୭୦ ଦଶକର ଶେଷଭାଗରେ ଏମ୍ ବି ବି ଏସ୍ ସମାପ୍ତ କରିବା ପରେ, ଡା. ରବିନ୍ଦ୍ର କୋଲହେ ସହରରେ ସୁବିଧାଜନକ ଚାକିରି କରିବା ପରିବର୍ତ୍ତେ ମେଲଘାଟ ଭଳି ଅତ୍ୟନ୍ତ ପଛୁଆ ଅଞ୍ଚଳକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେଠାରେ ଶିଶୁମାନେ ପୋଷଣ ଅଭାବ ଓ ସାଧାରଣ ରୋଗରେ ମରୁଥିଲେ । ରାସ୍ତା, ବିଦ୍ୟୁତ୍‌ କିମ୍ବା ଚିକିତ୍ସା ର କୌଣସି କିଛି ସୁବିଧା ନଥିଲା । ପରେ ସେ ଏହି ଅଞ୍ଚଳରେ ସ୍ଥାୟୀ ଭାବେ ରହିବାକୁ ନିଷ୍ପତି ନେଲେ । କିନ୍ତୁ ଏଥିପାଇଁ ତାଙ୍କୁ ଏକ ଏମିତି ଜୀବନସଂଗିନୀ ଦରକାର ଥିଲା, ଯିଏ ଏହି କଷ୍ଟସାଧ୍ୟ ଜୀବନକୁ ଗ୍ରହଣ କରିପାରିବ । ସେ ସ୍ପଷ୍ଟ କରିଦେଇଥିଲେ ଯେ, ଜଙ୍ଗଲ ଗାଁରେ ବସବାସ, ସାଧାରଣ ବିବାହ, କମ ଆୟ, ସହରୀଆ ସୁବିଧାର ଅଭାବ ଓ ଲୋକସେବାରେ ନିଜକୁ ନିଯୁକ୍ତ କରିବାକୁ ପଡିବ ବୋଲି ।ପ୍ରାୟ ୧୦୦ ଜଣ ମହିଳାଙ୍କୁ ସେ ଏହି ପ୍ରସ୍ତାବ ଦେଇଥିଲେ ସବୁ କୁ ସବୁ ମନା କହିଥିଲେ । କିନ୍ତୁ ଡା. ସ୍ମିତା କୋଲହେ ଏହାକୁ ମାନିଥିଲେ ଓ ସେମାନେ ବିବାହ କରି ବୈରାଗଡ ଗାଁରେ ରହିବାକୁ ଯାଇଥିଲେ । ସେଠାରେ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା, ନା ବିଦ୍ୟୁତ୍‌, ନା ଯାତାୟାତ ସୁବିଧା, ଖାଦ୍ୟ ସଂକଟ ଓ ଦିନ-ରାତି ରୋଗୀମାନଙ୍କ ଆସିବା । ତଥାପି ସେମାନେ ମାତ୍ର ୧ ରୁ ୨ ଟଙ୍କା ନେଇ ଚିକିତ୍ସା କରୁଥିଲେ, ଅନେକ ସମୟରେ ନିଶୁଳ୍କ ସେବା ମଧ୍ୟ ଦେଇଥିଲେ ।ତାଙ୍କ ସବୁଠାରୁ ବଡ଼ ପରୀକ୍ଷା ସେତେବେଳେ ଆସିଥିଲା, ଯେତେବେଳେ ତାଙ୍କ ନବଜାତ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା । ସମସ୍ତେ ସହରକୁ ନେବାକୁ କହିଥିଲେ, କିନ୍ତୁ ଡା. ସ୍ମିତା ଗାଁରେ ରହି ଚିକିତ୍ସା କରିଥିଲେ । ଏହି ଘଟଣା ପରେ ଗାଁ ବାସୀମାନଙ୍କ ଭରସା ବଢ଼ିଗଲା ଓ ସେମାନେ ତାଙ୍କୁ ନିଜ ପରିବାର ଭାବେ ଗ୍ରହଣ କରିଥିଲେ ।

୩୫ ବର୍ଷ ଧରି ସେମାନେ ଅବିରତ ସେବା କରିଛନ୍ତି । ଶିଶୁମୃତ୍ୟୁ ହାର କମାଇବା, ପୋଷଣ ସମସ୍ୟା ଦୂର କରିବା, ମାଲେରିଆ ଓ ଅନ୍ୟ ରୋଗର ଚିକିତ୍ସା, ମାତୃ ସ୍ୱାସ୍ଥ୍ୟ ସୁଧାର, ସ୍ତନ୍ୟପାନ ସଚେତନତା, ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ ଓ କୃଷକମାନଙ୍କ ସମସ୍ୟା ସମାଧାନରେ ତାଙ୍କ ଭୂମିକା ଅପୂର୍ବ । ତାଙ୍କ ଏହି ଅମୂଲ୍ୟ ସେବା ପାଇଁ ଭାରତ ସରକାର ସେମାନଙ୍କୁ ‘ପଦ୍ମ ଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି । ତଥାପି, ସେମାନେ କେବେ ମେଲଘାଟକୁ ଛାଡ଼ିନାହାନ୍ତି । ସେମାନଙ୍କ ପାଇଁ ଏହା କେବଳ କାମ ନୁହେଁ, ଏହା ହେଉଛି ତାଙ୍କ ଘର ଓ ଜୀବନର ଉଦ୍ଦେଶ୍ୟ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ