Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାମ୍ପତ୍ୟ କଳିରୁ ୨ ନିରୀହ ଶିଶୁଙ୍କ ଜୀବନ ଗଲା! ପୁଅଝିଅକୁ ହାଣିବା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା, ୧୩ | ୪ : ଝାରସୁଗୁଡ଼ା ସହର ଉପକଣ୍ଠ ଟାଙ୍ଗରପାଲି ଓରାମପଡ଼ାରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା | ଯେଉଁଠି ନିଜ ଜନ୍ମକଲା ମା’ ପିଶାଚୀ ସାଜି ନିର୍ମମ ଭାବେ ପୁଅ ଝିଅକୁ ହତ୍ୟା କରିଛି। ସ୍ବାମୀ ପରକୀୟା ପ୍ରୀତିରେ ଲିପ୍ତ ଥିବା ସନ୍ଦେହ କରି ନିଜର ଜନ୍ମକଲା ଦୁଇ କୋମଳ ଶିଶୁଙ୍କୁ ହତ୍ୟା କରିଛି ମା | କେବଳ ସେତିକି ନୁହେଁ, ସ୍ବାମୀକୁ ହାଣିବାକୁ ଉଦ୍ୟମ କରି ବିଫଳ ହେବା ପରେ ନିଜ ବେକକୁ କାଟି ଗୁରୁତର ହୋଇଛନ୍ତି ନିଜେ । ଏହି ହତ୍ୟାକାଣ୍ଡରେ ମୃତ ଶିଶୁଦ୍ବୟ ହେଲେ ଝାରସୁଗୁଡ଼ା ସହର ଉପକଣ୍ଠ ଟାଙ୍ଗରପାଲି ଓରାମପଡ଼ାରେ ବାସ କରୁଥିବା ସୀତାରାମ ଓରାମ ଓ ରଞ୍ଜିତା ଓରାମଙ୍କ ୧୦ ବର୍ଷର ଝିଅ ଜିଜ୍ଞାସା ଏବଂ ୫ ବର୍ଷର ପୁଅ ବିଭାଂଶୁ। ଗତ ଶନିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି | ଏବେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ଅଭିଯୁକ୍ତ ସୀତାରାମ ଏକ ଅଟୋମୋବାଇଲ୍‌ ସୋ’ରୁମରେ କାମ କରୁଥିଲେ । ସକାଳୁ ଅଫିସ ଯାଇ ସନ୍ଧ୍ୟା ସମୟରେ ଘରକୁ ଆସୁଥିଲେ | ଗତ ଶନିବାର ଦିନ ମଧ୍ୟ ସବୁଦିନ ଭଳି ସନ୍ଧ୍ୟାରେ ସେ ଡ୍ୟୁଟିରୁ ଫେରିବା ପରେ ଘରର ସବୁ ସଦସ୍ୟ ଖାଇପିଇ ଶୋଇଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୧୧ଟାରେ ପତ୍ନୀ ରଞ୍ଜିତା ପରିସ୍ରା ଯିବା ପାଇଁ ସୀତାରାମଙ୍କୁ ଉଠାଇଥିଲେ। ତେବେ ଉଭୟ ଘରୁ ପଦାକୁ ବାହାରିବା ମାତ୍ରେ ରଞ୍ଜିତା ଅଚାନକ ଘର ଭିତରକୁ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। ଆଉ ଏହାପରେ ଘଟାଇଥିଲେ ଅମାନବୀୟ ହତ୍ୟାକାଣ୍ଡ | ନିଘୋଡ଼ ନିଦରେ ଶୋଇଥିବା ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣି ଚାଲିଥିଲେ ନିଜ ମା’। ବାହାରୁ ଚିତ୍କାର ଶୁଣି ସୀତାରାମ ଧାଇଁ ଆସିବାବେଳକୁ କବାଟ ବନ୍ଦଥିବା ଏବଂ ଦୁଇ ଶିଶୁଙ୍କୁ ରଞ୍ଜିତା ହାଣି ଚାଲିଥିବା ଝରକା ପଟୁ ଦେଖିବାକୁ ପାଇଥିଲେ।

ଏହାପରେ ପାଟିତୁଣ୍ଡ ଶୁଣି ପାଖରେ ଥିବା ପଡ଼ୋଶୀ, ସୀତାରାମଙ୍କ ବଡ଼ ଭାଉଜ ସମେତ ଅନ୍ୟ ପରିବାର ଲୋକେ ଧାଇଁ ଆସିଥିଲେ। ତେବେ ଉକ୍ତ ଘରର ଝରକାରେ କୌଣସି କାଠର କବାଟ କିମ୍ବା ଲୁହାର ଗ୍ରିଲ ଲାଗି ନଥିବା ବେଳେ କେବଳ ଇଟା ଥୋଇ ଢଙ୍କା ଯାଇଥିଲା। ଏହାପରେ ସୀତାରାମଙ୍କ ଭାଉଜ ଖିଲେଶ୍ବରୀ ଓ ସୀତାରାମ ଉକ୍ତ ଇଟାଗୁଡ଼ିକୁ ଠେଲି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଆଉ ଠିକ ସେତେବେଳେ ହାତରେ ଧରିଥିବା ଟାଙ୍ଗିଆରେ ସୀତାରାମଙ୍କୁ ହାଣିବାକୁ ରଞ୍ଜିତା ଉଦ୍ୟମ କରିଥିଲେ। କିନ୍ତୁ ଝରକା ବାହାର ପଟୁ ରଞ୍ଜିତାଙ୍କ ଚୁଟିକୁ ଖିଲେଶ୍ବରୀ ଜୋର୍‌ରେ ଭିଡ଼ି ଧରିବାରୁ ସୀତାରାମ ବର୍ତ୍ତି ଯାଇଥିଲେ। ଏହାପରେ ରଞ୍ଜିତା ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ନିଜ ବେକକୁ ଏକ ପନିକିରେ କାଟି ଦେଇଥିଲେ। ପରେ ରଞ୍ଜିତାଙ୍କୁ ଶେଷରେ ଅକ୍ତିଆର କରି ନେଇଥିଲେ ପଡ଼ୋଶୀ।

ପଡୋଶୀ ଏହି ଘଟଣା ସମ୍ପର୍କରେ ପୋଲିସକୁ ସମସ୍ତ ସୂଚନା ଜଣାଇଥିଲେ | ସୂଚନା ପାଇ ଏସ୍‌ପି ଜି.ଆର୍.ରାଘବେନ୍ଦ୍ରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିଶୁ ଓ ରଞ୍ଜିତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର | ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାସହିତ ଗୁରୁତର ଭାବେ ଆହତ ହୋଇଥିବା ରଞ୍ଜିତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ସମ୍ବଲପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହଯୋଗରେ ପୋଲିସ ଯାଞ୍ଚ ଜାରି ରଖିଛି। ସେପଟେ ପୋଲିସ ଅଭିଯୁକ୍ତଙ୍କ ସ୍ୱାମୀ ସୀତାରାମଙ୍କୁ ପଚାରିବାରୁ ସୀତାରାମ ସେ,ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିବା କଥା କହିଥିଲେ | କିନ୍ତୁ କିଛି ଗତ କିଛିବର୍ଷ ହେଲା ସେ ଅନ୍ୟ ମହିଳାଙ୍କ ସହ ସଂପର୍କରେ ଥିବା ନେଇ ତାଙ୍କ ପତ୍ନୀ ତାଙ୍କୁ ସନ୍ଦେହ କରୁଥିଲେ | ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟ ସମୟରେ ବିବାଦ ଲାଗିରହୁଥିଲା। ତେବେ ସନ୍ଦେହରୁ ଘଟିଗଲା ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଆଉ ଦୁଇଜଣ ନିରୀହ ଶିଶୁଙ୍କ ଜୀବନ ଗଲା | ଅନ୍ୟପଟେ, ଏହି ଘଟଣା ବିଷୟରେ ଏସ୍‌ପି କହିଛନ୍ତି ଯେ, ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ରଞ୍ଜିତା ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଏସ୍‌ପି କହିଛନ୍ତି। ତେବେ ପୋଲିସ ରଞ୍ଜିତାଙ୍କ ବୟାନ ରେକର୍ଡ କରିଥିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ