ଅଧାପନ୍ତରିଆ କୋଇଲି ଘୋଘର ସୌନ୍ଦର୍ଯ୍ୟକରଣ, ବନ ବିଭାଗକୁ ଦାୟିତ୍ୱ, ତଥାପି ଖର୍ଚ୍ଚ ହୋଇ ପାରୁନି ମଞ୍ଜୁରୀ ଅର୍ଥ
ଝାରସୁଗୁଡ଼ା ୧୪/୪ (ଓଡ଼ିଶା ନ୍ୟୁଜ୍)ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସମରବଗା ପଞ୍ଚାୟତର ଛୁଇଖାଞ୍ଚ ମୌଜା ନିକଟରେ ଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ‘କୋଇଲି ଘୋଘର’ର ବିକାଶ ଏବେ ବାଟବଣା ହୋଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପ୍ରାୟ ୨୦୦ ଫୁଟ ଉଚ୍ଚରୁ ପଡ଼ୁଥିବା ମନୋରମ ଜଳପ୍ରପାତ ଦେଖିବା ପାଇଁ ପ୍ରତିଦିନ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମହା ଶିବରାତ୍ରି, ଜାଗର ମେଳା ଓ ଶ୍ରାବଣ ମାସରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ମାତ୍ର ଦୁଃଖର ବିଷୟ, ଏହି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗର ଅଭାବ ପରିଲକ୍ଷିତ ହେଉଛି।
ଏହି ସ୍ଥାନର ବିକାଶ ପାଇଁ ସ୍ଥାନୀୟ ସମରବଗା, ଜାମଗାଁ, କତରବଗା ଓ କଦମଡିହି ସମେତ ସୁନ୍ଦରଗଡ଼ ଜିଲ୍ଲାର କନିକା, ଜୁଲୁମବାହାଲ ଓ ଆଙ୍କେଲବିରା ଭଳି ଅଞ୍ଚଳବାସୀଙ୍କ ମିଳିତ ସହଯୋଗରେ ‘ବିକାଶ ପରିଷଦ ଶୈବପୀଠ’ ନାମକ ଏକ ପରିଚାଳନା କମିଟି ଗଠନ କରାଯାଇଛି। କମିଟିର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପର୍ଯ୍ୟଟକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହାର ଉନ୍ନୟନ ପାଇଁ ପ୍ଲାନ ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା। ଏହି ଉନ୍ନୟନ ମୂଳକ କାର୍ଯ୍ୟର ସମସ୍ତ ଦାୟିତ୍ୱ ବନ ବିଭାଗକୁ ନ୍ୟସ୍ତ କରାଯାଇଥିଲା।
ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୫ କୋଟି ଟଙ୍କାର ବ୍ୟୟ ଅଟକଳ କରା ଯାଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ କରା ଯାଇଛି। ବନ ବିଭାଗ ପକ୍ଷରୁ କଦମଡିହି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ୬ଟି ଗ୍ରାମର ବନ ସୁରକ୍ଷା ସମିତି ଓ ବିକାଶ ପରିଷଦ କମିଟିକୁ ନେଇ ଏକ ‘ପରିବେଶ ବିକାଶ କମିଟି’ (ଇ ଡି ସି) ଗଠନ କରା ଯାଇଛି। ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଏହି କମିଟି ମାଧ୍ୟମରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ନ ହୋଇ ବନ ବିଭାଗ ଉକ୍ତ ସମସ୍ତ ପ୍ରକଳ୍ପ ଗୁଡ଼ିକ କାମ ନିଜେ ସମ୍ପାଦନା କରୁଛି ।
ତେବେ ପର୍ଯ୍ୟାପ୍ତ ପାଣ୍ଠି ଥାଇ ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧା ପନ୍ତରିଆ ହୋଇ ପଡ଼ି ରହିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଭାଗୀୟ ଅବହେଳା ଯୋଗୁଁ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ବିକାଶ ବାଧାପ୍ରାପ୍ତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବାକି ରହିଥିବା କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

